ନୂଆଦିଲ୍ଲୀ:
ବିଟାଉନ ସେଲିବ୍ରିଟିମାନେ ବିବାହ ବନ୍ଧନରେ ଆବଦ୍ଧ ହେଲେ ସେମାନଙ୍କ ବାହାଘର ବଜେଟକୁ ନେଇ ଚର୍ଚ୍ଚା ଲାଗିରହେ | ପଞ୍ଚତାରକା ହୋଟେଲ,ରିସର୍ଟ କିମ୍ବା ପ୍ୟାଲେସରେ ବିବାହ ସହ ଡିଜାଇନର ଆଉଟଫିଟ ଓ ଅତିଥିମାନଙ୍କ ପାଇଁ ରହିଥିବା ମେନ୍ୟୁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ | ତେବେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ ଓ ଆରଜେ ଅନମୋଲଙ୍କ ବିବାହ ଏସବୁରୁ ଟିକେ ଅଲଗା ଥିଲା | ଏହି ସେଲିବ୍ରିଟି ଦମ୍ପତି ୨୦୧୬ରେ ଗୁପ୍ତ ବିବାହ କରିଥିଲେ | ବିବାହର ୭ବର୍ଷ ପରେ ୟୁଟ୍ୟୁବ ବ୍ଲଗ ମାଧ୍ୟମରେ ଅମ୍ରିତା ଓ ଅନମୋଲ ସେମାନଙ୍କ ପ୍ରଶଂସକ ଉଦ୍ଦେଶ୍ୟରେ ବିବାହ ବିଷୟରେ ସବୁକିଛି ସେୟାର କରିଛନ୍ତି | ସେମାନେ ନିରାଡ଼ମ୍ବରରେ ସାତଫେରା ନେଇଥିବା କଥା କହିଛନ୍ତି | ସେମାନଙ୍କ ବିବାହରେ ମାତ୍ର ୧୧ଜଣ ଲୋକ ଉପସ୍ଥିତ ଥିଲେ | ବିବାହ କରିବା ପାଇଁ ସେମାନେ ମୁମ୍ବାଇରୁ ପୁନେ ଯାଇଥିଲେ |
ସେଠାରେ ଇସ୍କନ ମନ୍ଦିରରେ ବିବାହ କରିଥିଲେ | ବଲିଉଡ ସେଲିବ୍ରିଟିମାନେ ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅମ୍ରିତା ଓ ଅନମୋଲ ମାତ୍ର ଦେଢ଼ ଲକ୍ଷ ଖର୍ଚ୍ଚ କରିଥିଲେ | ଏଥିରେ ସେମାନଙ୍କର ହୋଟେଲ ରହଣି, ବିବାହ ପୋଷାକ ଆଦି ରହିଥିଲା | ଅମ୍ରିତା ତାଙ୍କ ବିବାହ ପାଇଁ ଡିଜାଇନର ଲେହେଙ୍ଗା ବଦଳରେ ୩୦୦୦ ଟଙ୍କାର ଏକ ଶାଢ଼ୀ ପିନ୍ଧିଥିଲେ | ଇମିଟେସନର ଜୁଏଲାରୀ ପିନ୍ଧିଥିଲେ | ସେ ୧୮,୦୦୦ ଟଙ୍କାର ଏକ ମଙ୍ଗଳସୂତ୍ର ପିନ୍ଧିଥିଲେ | ସେହିଭଳି ଅନମୋଲ ବିବାହ ସମୟରେ ଧୋତି, କୁର୍ତ୍ତା ସହ ଏକ କୋହ୍ଲାପୁରି ଜୋତା ପିନ୍ଧିଥିଲେ | ଏସମ୍ପର୍କରେ ଅମ୍ରିତା କହିଛନ୍ତି ଯେ, ‘ଆମ ବିବାହରେ ଆମ ପରିବାର ଲୋକ ଓ ବନ୍ଧୁମାନେ ଯୋଗ ଦେଇଥିଲେ | ଯଦି ଓ ବିବାହରେ ଆମେବେଶୀ ଟଙ୍କା ଖର୍ଚ୍ଚ କରିନୁ, କିନ୍ତୁ ଆମେ ବହୁତ ଖୁସିଥିଲୁ’ | ଅମ୍ରିତା ଓ ଅନମୋଲ ବଲିଉଡର ଏକ ସଫଳ ଯୋଡି ଭାବେ ପରିଗଣିତ ହୁଅନ୍ତି | ସେମାନଙ୍କର ପୁଅଟିଏ ବି ଅଛି |