ମାତ୍ର ୧୦ ଟଙ୍କା ମଜୁରୀ ବଢାଇ ଶ୍ରମିକ ଦିବସ ପାଳନ କରୁଛନ୍ତି ମୋହନ । ଲୋକଙ୍କ ସରକାରରେ ବି ଅଣଦେଖା ହେଉଛନ୍ତି ଶ୍ରମିକ । ଆଜି ହେଉଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରମିକ ଦିବସ ପାଳନ କରାଯାଉଛି । ରାଜ୍ୟରେ ମଧ୍ୟ ଶାସକ ଏବଂ ବିରୋଧୀ ମାନେ ଶ୍ରମିକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଥମ ଥର ସରକାରକୁ ଆସିଥିବା ବିଜେପି ଶ୍ରମିକ ଦିବସ ଅବସରରେ ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । କିନ୍ତୁ ଏହାକୁ ଅନେକ ମହଲରେ ଗ୍ରହଣ କରାଯାଉନାହିଁ ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ରାଷ୍ଟ୍ର ନିର୍ମାଣରେ ଶ୍ରମିକ ମାନଙ୍କର ଅମୂଲ୍ୟ ଯୋଗଦାନକୁ ପ୍ରଶଂସା କରି ସେମାନଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଉଛନ୍ତି । କିନ୍ତୁ ଅନ୍ୟପଟେ ଏତେ ମହଙ୍ଗା ଯୁଗରେ ଶ୍ରମିକମାନଙ୍କ ଦୈନିକ ମଜୁରୀ ମାତ୍ର ୧୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଶ୍ରମିକଙ୍କ ମହଲରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଉଛି ।
କାହିଁକି ନା ଡବଲ ଇଞ୍ଜିନ ସରକାରରେ ସାଧାରଣ ଜନତା ଡବଲ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ଦର ଆକାଶ ଛୁଆଁ ହେଉଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ବି ସେମାନେ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ସରକାର କେବଳ ଲୋକ ଦେଖାଣିଆ ପାଇଁ ଶ୍ରମିକ ଦିବସ ପୂର୍ବରୁ ହିଁ ସେମାନଙ୍କ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହାକୁ ନେଇ ବିରୋଧୀ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି ।
ତେବେ ଆଜି ଶ୍ରମିକ ଦିବସ ଅବସରରେ ବିଜେପି ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କଲ୍ୟାଣ ବୋର୍ଡ ଜରିଆରେ ୫୦ କୋଟି ଟଙ୍କାରୁ ଅଧିକ ରାଶି ରାଜ୍ୟବ୍ୟାପୀ ବଣ୍ଟନ କରିବେ ବୋଲି ସୂଚନା ମିଳିଛି ।