ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହୋଇପାରେ ଅସମ୍ଭାଳ ତାତି। ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରଭାବରେ ରାଜ୍ୟରେ ତାପମାତ୍ରା ପ୍ରାୟ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ ବେଳକୁ ତାତି ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୭ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବ ବୋଲି ମଡେଲ୍ ଦର୍ଶାଉଛି। ଏହା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁକୁ ଆକର୍ଷିତ କରିବ। ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହେବ ବୋଲି ୟୁରୋପିଆନ ମଡେଲ୍ ଓ ଜିଏଫ୍ଏସ ମଡେଲ୍ର ଆକଳନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାମପାତ୍ରା ସ୍ୱାଭାବିକଠାରୁ ୨-୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହୁଛି। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ହେଉଛି। ଏହାଦ୍ୱାରା ପୂର୍ବାପେକ୍ଷା ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି। ମାତ୍ର ଆସନ୍ତା ୨୭ ତାରିଖରୁ ତାପମାତ୍ରା ପୁଣି ଉପରମୁହାଁ ହେବ। ଫଳରେ ରାଜ୍ୟରେ ତାତି ଆହୁରି ବୃଦ୍ଧି ହେବ। ମାର୍ଚ୍ଚ ୩ରୁ ୪ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ଆକଳନ କରାଯାଉଛି।
