ବିଜେଡି ସ୍ୱରରେ ଓଡିଶା ସହ କମ୍ପିବ ଦିଲ୍ଲୀ ଦରବାର । ନବୀନ ଦେଲେ ନିର୍ଦ୍ଦେଶ ବାହାରିଲେ ବିଜେଡି ନେତା । ହଁ ଆଜ୍ଞା, ମାସ ଶେଷରେ ରାଜନୀତିରେ ହେବ ବଡ ହଲଚଲ । ବଡ ଆନ୍ଦୋଳନର ସମ୍ମୁଖୀନ ହେବ ଶାସକ ଦଳ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ରେଡି କରିସାରିଲାଣି ବିଜୁ ଜନତା ଦଳ । ଦଳର ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଦଳୀୟ ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଏବଂ ଆସନ୍ତା ୨୮ ତାରିଖରେ ବିରୋଧୀଙ୍କ ସ୍ୱରରେ ଶାସକ ଦଳ ଘାଇଲା ହେବା ନେଇ ଆଲୋଚନା ଚାଲିିଛି । କାହିଁକି ନା କେବଳ ନବୀନ ନୁହଁନ୍ତି ନବୀନଙ୍କ ସହ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର ହଜାର ହଜାର ନେତା ଏଥିରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି ।
ତେବେ ଏହି ଆନ୍ଦୋଳନ ପୋଲାଭରମ ପ୍ରକଳ୍ପକୁ ନେଇ ହେବ ବୋଲି ସୂଚନା ମିଳିଛି । ମାଲକାନଗିରି ମୋଟୁଠାରୁ ଦିଲ୍ଲୀ ଜନ୍ତର ମନ୍ତର ଯାଏଁ ହେବ ଆନ୍ଦୋଳନ। ପୋଲାଭରମ ପ୍ରତିବାଦ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଓ ଓଡିଶାର ହଜାର ହଜାର ନେତା ଓ ଜନତାଙ୍କୁ ଏହି କାର୍ୟ୍ୟକ୍ରମରେ ଏକାଠି କରିବାକୁ ଲକ୍ଷ୍ୟ ରଖିଛି ଦଳ। ମୋଟୁରେ ଜନଗର୍ଜନ ପରେ ଭୁବନେଶ୍ୱରରେ ବିକ୍ଷୋଭ ହେବ । ପରେ ଦିଲ୍ଲୀ ଜନ୍ତର ମନ୍ତର ଠାରେ ପ୍ରତିବାଦ ଲାଗି ପ୍ରସ୍ତୁତ ହେଉଛି ବିଜେଡି । ଅନ୍ୟପଟେ ୨୮ ତାରିଖରେ ଏକ ବଡ ଧରଣର ଆନ୍ଦୋଳନ ଲାଗି ବିଜେଡି ପ୍ରସ୍ତୁତ ହେଉଥିବାବେଳେ ଏହାକୁ ନେଇ ରାଜନୀତି ବି ତେଜିବାରେ ଲାଗିଛି। ଶାସକ ବିଜେପି ଏହାକୁ ପ୍ରହସନ ବୋଲି କହୁଥିବା ବେଳେ ପ୍ରସଙ୍ଗରେ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ।
ତେବେ ନିବାଚନ ପରଠାରୁ ହିଁ ପୋଲାଭରମକୁ ନେଇ ଆକ୍ରମଣାନ୍ତକ ହୋଇଉଠିଛି ବିଜେଡି । ଉଭୟ ବିଧାନସଭା ଗୃହରେ ଏବଂ ବାହାରେ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ପ୍ରଶ୍ନ ଉପରେ ପ୍ରଶ୍ନ କରିବା ସହ ଓଡିଶାର ଡବଲ ଇଞ୍ଜିନ ସରକାର ଓଡିଶା ବଦଳରେ ଆନ୍ଧ୍ରର ବିକାଶ ଅଧିକ ଚାହିଁଥିବା ଅଭିଯୋଗ ବି କରିଛି । ଆଉ ଏବେ ଏହାକୁ ନେଇ ଏକ ବିରାଟ ଆନ୍ଦୋଳନର ରାସ୍ତା ଆପଣାଇଛି ଦଳ । ତେବେ ଦେଖାଯାଉ ୨୮ ତାରିଖର ଏହି ଆନ୍ଦୋଳନ ବିଜେପି ଉପରେ କେଉଁ ପ୍ରଭାବ ପକାଉଛି ଏବଂ ନବୀନଙ୍କ ଭୂମିକା କେତେ ଗୁରୁତ୍ୱ ବହନ କରୁଛି ତାହା ଦେଖିବାକୁ ଅପେକ୍ଷା ।