ଠେଙ୍ଗାବାହିନୀ ଧରି ଅଡୁଆରେ ପଡିଲେ ବାବୁ ସିଂହ । ମୁଖ୍ୟମନ୍ତ୍ରୀଙ୍କୁ ବେଖାତିର କରିବା ପଡିଲା ମହଙ୍ଗା । ହଁ ଆଜ୍ଞା, ଖଣ୍ଡଗିରି ମେଳାରେ ଅଶ୍ଲୀଳତା ପ୍ରଦର୍ଶନକୁ ଅଟକାଇବା ପାଇଁ ସରକାର ଏବଂ ପୋଲିସଙ୍କ ଠାରୁ ବଳି ଆଗେଇ ଆସିଥିଲେ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ବିଧାୟକ ବାବୁ ସିଂହ । ନିଜର ଏକ ସଙ୍ଗଠନ ସହିତ ଠେଙ୍ଗା ପୂଜା କରି ଅଶ୍ଲୀଳ ନୃତ୍ୟ ପରିବେଷଣ ଉପରେ ରୋକ ଲଗାଇବା ନେଇ ଚେଷ୍ଟା ଚଳାଇଥିଲେ । ଏପରିକି ଯାତ୍ରାରେ ଯିଏ ଅଶ୍ଲୀଳତା ପ୍ରଦର୍ଶନ କରିବେ ତାଙ୍କୁ ଠେଙ୍ଗା ପାହାର ବାଜିବା ନେଇ ଚେତାବନୀ ମଧ୍ୟ ଦେଇଥିଲେ । ଯାହା ଏବେ ବାବୁ ସିଂହ ଏବଂ ବିଜେପି ଉପରେ ଭାରି ପଡିଥିବା ଚର୍ଚ୍ଚା ହେଉଛି । କାରଣ ସରକାରରେ ଥାଇ ସରକାରୀ ଦଳର ବିଧାୟକଙ୍କ ଏପରି ଧମକାଇବାକୁ ଏବଂ ଆଇନକୁ ହାତକୁ ନେବାକୁ ବିଭିନ୍ନ ମହଲରେ ଆଦୌ ଗ୍ରହଣୀୟ ହେଉନାହିଁ ।
ପୋଲିସ ଏବଂ ସରକାର ଥାଉ ଥାଉ ବିଧାୟକ ଏପରି ଠେଙ୍ଗା ଉଠାଇବାକୁ ପସନ୍ଦ ନକରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ପାରିବା ପଣିଆ ଏବଂ ଅସହାୟତାକୁ ନେଇ ପ୍ରଶ୍ନ ଉଠୁଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ବେଖାତିର କରୁଥିବା ଏବଂ ତାଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଥିବା ଚର୍ଚ୍ଚା ଚାଲିଛି । କାରଣ ବାରମ୍ବାର ବିଭିନ୍ନ ଯାତ୍ରା ପେଣ୍ଡାଲ ଗୁଡିକରେ ଅଶ୍ଲୀଳ ନୃତ୍ୟ ପରିବେଷଣ ହେବନି ବୋଲି ବୟାନ ବାଜି କରିଆସୁଛନ୍ତି ବିଜେପି ନେତା । କିନ୍ତୁ ଏହାର କିଛି ବି ନିଷ୍କର୍ଷ ବାହାରୁ ନାହିଁ । ନା ଏହାକୁ ରୋକିବା ପାଇଁ ସରକାର ସ୍ୱତନ୍ତ୍ର ନିୟମ ଆଣୁଛନ୍ତି ନା କଡା ନିର୍ଦ୍ଦେଶ ଦେଉଛନ୍ତି । କେବଳ ବୟାନବାଜିରେ ଅଟକିଯାଉଛି । ଆଉ ଏବେ ବାବୁ ସିଂହ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଅପାରଗତାକୁ ଦର୍ଶାଉଥିବା ସାଧାରଣରେ ଆଲୋଚନା ହେଉଛି । ଏପରିକି ବିରୋଧୀ ମଧ୍ୟ ଏହାକୁ ନେଇ ବାବୁ ସିଂଙ୍କ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ।