ଏଭଳି କିଛି ପ୍ରଶ୍ନ ମୋଦିଙ୍କ ଦିଲ୍ଲୀ ଫେରିଯିବା ପରେ ପରେ ସୃଷ୍ଟି ହୋଇଥିଲା । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଏବଂ ବିଜେପି କର୍ମୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ତିନି ଦିନ ଓଡିଶାରେ ରହିଥିଲେ ସେହି ୩ ଦିନ ମଧ୍ୟରେ ମୋଦି କିଛି ହିଣ୍ଟ ଦେଇଥିଲେ ଯେଉଁଥିରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଏପରି କିଛି ଚର୍ଚ୍ଚା ଚାଲିଛି । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପାର୍ଟୀ ଅଫିସରେ ପ୍ରାୟ ତିନି ଘଣ୍ଟା ରହି ଦଳୀୟ ନେତା ଏବଂ କର୍ମୀଙ୍କ ସହ ଆଲୋଚନା କରିଥିଲେ । ୫ ମାସର ରିପୋର୍ଟ କାର୍ଡନେବା ସହ ସେମାନଙ୍କୁ ଆଗାମୀ ଦିନର ରଣନୀତି ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ । କିନ୍ତୁ ଏହାରି ମଧ୍ୟରେ ଦଳର ଜଣେ ଶୀର୍ଷ ନେତୃତ୍ୱଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ମୋଦି । ଦଳୀୟ ବୈଠକରେ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କର ଦଳ ପାଇଁ କାର୍ୟ୍ୟକୁ ପ୍ରଶଂସା କରିଥିଲେ ମୋଦି।
ତେବେ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁସାରେ, ଓଡ଼ିଶାରେ ବିଜେପିର ଯେଉଁ ଅଭିବୃଦ୍ଧି ତାହା ୨୦୧୪ରେ ମୋଦି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ହେବା ପରେ ଆରମ୍ଭ ହେଲା ଏବଂ ସେଥିରେ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ରାଜ୍ୟରେ ବିଜେପିକୁ ତୃତୀୟ ଦଳକୁ ଆଣି ଦ୍ୱିତୀୟ ଦଳରେ ପରିଣତ କରିଥିଲେ। ସେହି ଦିନଠାରୁ ମୋଦୀ ସରକାର ସହିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବରେ ପ୍ରାୟ ୧୧ ବର୍ଷ ହେଲା ଜଡ଼ିତ ହୋଇ ରହିଛନ୍ତି। ଏଣୁ ଓଡ଼ିଶାରେ ତାଙ୍କର ଏକ ପ୍ରଭାବ ରହିଛି।
ଅନ୍ୟପଟେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ପରେ କିଏ ବିଜେପିରୁ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଯେଉଁ ଚେହେରା ଗୁଡିକ ସାମ୍ନାକୁ ଆସୁଥିଲା ସେଥିରେ ଆଗରେ ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ବିଜେପି ଆଦିବାସୀ କାର୍ଡ ଖେଳି ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସପ୍ରାଇଜ ଚେହେରା ଭାବେ ମୋହନ ଚରଣ ମାଝୀଙ୍କୁ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଚେହେରା କରାଗଲା । ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଆଶାରେ ରହିଗଲା । କିନ୍ତୁ ଏ ଆଶା ଯେ ଆଗକୁ ପୂରଣ ନ ହୋଇପାରେ ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କିନ୍ତୁ ଏଠି ଦ୍ୱନ୍ଦ୍ୱ ହେଉଛି ମୁଖ୍ୟମନ୍ତ୍ରୀ ହେବା ପାଇଁ ଉପନିର୍ବାଚନର ପରିବେଶ କିପରି ସୃଷ୍ଟି ହେବ ଏବଂ ଧର୍ମେନ୍ଦ୍ର କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । କାରଣ ବିଜେପି ନେତା ମାନେ ଏବେ କ୍ଷମତା ପାଇଁ ଚାତକ ଭଳି ଚାହିଁ ରହିଥିବା ଦେଖିବାକୁ ମିଳୁଛି । ଆଉ ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ ପାଇଁ କିଏ ଆସନ ତ୍ୟାଗ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ଦେଖିବାକୁ ଗଲେ ବିଜେପିର ଷ୍ଟ୍ରାଟେଜୀ ଅନୁସାରେ, ବିଜେପି କେବେ ବି ଚର୍ଚ୍ଚିତ ଚେହେରା କିମ୍ବା ପ୍ରତିଷ୍ଠିତ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଉନାହାନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଓଡିଶାର ମୁଖ୍ୟମନ୍ତ୍ରୀ ଚେହେରାରୁ ସ୍ପଷ୍ଟ ହୋଇପଡିଛି । ଆଉ ଏସବୁ ଭିତରେ ଧମେନ୍ଦ୍ରଙ୍କୁ ନେଇ ଏପରି ଚର୍ଚ୍ଚା ପୁଣି ଥରେ କାହିଁକି ମୁଣ୍ଡ ଟେକୁଛି ତାହା ଏବେ ସସପେନ୍ସ ବଢାଇଛି ।