ପୁଣି ସପ୍ରାଇଜ କାର୍ଡ ଖେଳିଲେ ମୋଦି । ଦିଲ୍ଲୀରେ ବି ଆପ୍ଲାଏ ହେଲା ଓଡିଶା ଫର୍ମୁଲା । ହଁ ଆଜ୍ଞା, ଗୋଟିଏ ପରେ ଗୋଟିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସମାନ ଫର୍ମୁଲା ଆପ୍ଲାଏ କରୁଛି ବିଜେପି । ପ୍ରଥମେ ଓଡିଶା ଆଉ ଏବେ ଦିଲ୍ଲୀ । ଦୀର୍ଘ ବର୍ଷର ବନବାସ ପରେ ଦିଲ୍ଲୀରେ ବିଜେପି ସରକାର ଗଢିଥିବାରୁ କିଏ ବିଜେପିର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ସେନେଇ ନାନା ଚର୍ଚ୍ଚା ମୁଣ୍ଡ ଟେକିଥିଲା । ରେସରେ ଅନେକ ନେତା ଥିବା ବେଳେ ଯେଉଁ ଚେହେରା ଚର୍ଚ୍ଚାରେ ବି ନଥିଲା ସେହି ନାଁରେ ମୋଦି ମୋହର ମାରିଛନ୍ତି । ପ୍ରଥମ ଥର ବିଧାୟିକା ହୋଇଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ସିଂହାସନରେ ବସାଇଛନ୍ତି ବିଜେପି ସୁପ୍ରିମୋ । ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ୫୦ ବର୍ଷୀୟା ରେଖା ଗୁପ୍ତା । ତେବେ ରେଖା ଗୁପ୍ତା ସାଲିମାରବାଗରୁ ବିଧାୟିକା ଅଛନ୍ତି । ଦିଲ୍ଲୀ ବିଜେପିର ସେ ମହାସଚିବ ମଧ୍ୟ ଅଛନ୍ତି । ଏପରିକି ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ତେବେ ଏତେ ଜଣ ଅଭିଜ୍ଞ ନେତା ଥିବା ବେଳେ ପ୍ରଥମ ଥର ବିଧାୟିକା ହୋଇଥିବା ରେଖା ଗୁପ୍ତାଙ୍କୁ ମୋଦି କାହିଁକି ଚୟନ କଲେ , ଏହା ପଛରେ କିଛି ଉଦ୍ଦେଶ୍ୟ ରହିଛି କି ସେନେଇ ସାଧାରଣରେ ଆଲୋଚନା ହେଉଛି ।
ଅନ୍ୟପଟେ ଦେଖିବାକୁ ଗଲେ ଓଡିଶାରେ ମଧ୍ୟ ସପ୍ରାଇଜ କାର୍ଡ ଖେଳି ମୋଦି ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ ଏପରିକି ସୁରେଶ ପୂଜାରୀଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଥିବା ବେଳେ ମୋହର କିନ୍ତୁ ମୋହନ ମାଝୀଙ୍କ ନାଁରେ ବାଜିଥିଲା । ଆଉ ଏହା ପଛରେ ବିଜେପିର ଯେଉଁ ନିହିତ ଉଦ୍ଦେଶ୍ୟ ରହିଥିଲା ତାହା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି । କୁହାଯାଉଛି କି, କେନ୍ଦୁଝରରେ ଖଣି ଅଧିକ ରହିଥିବା ବେଳେ ଏହାକୁ ଲକ୍ଷ୍ୟ ରଖି ବିଜେପି ନିଜର ନିହିତ ସ୍ୱାର୍ଥ ପାଇଁ ଜଣେ ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବୋଲି । କିନ୍ତୁ ଏହା କେତେଦୂର ସତ ତାହା ଜଣାପଡିନାହିଁ । ଆଉ ଏବେ ଦିଲ୍ଲୀରେ ମଧ୍ୟ ସପ୍ରାଇଜ କାର୍ଡ ଖେଳି ପ୍ରଥମ ଥର ବିଧାୟିକା ହୋଇଥିବା ରେଖା ଗୁପ୍ତାଙ୍କୁ ମୋଦି ଦିଲ୍ଲୀ ସିଂହାସନରେ ବସାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ରେଖା ରାଜରେ ଦିଲ୍ଲୀ ରାଜନୀତିରେ କଣ ପରିବର୍ତନ ଆସୁଛି ଏବଂ ଦିଲ୍ଲୀ ପରେ କେଉଁ ରାଜ୍ୟର ପାଳି ପଡୁଛି ।