ଚାରିଆଡେ ବର୍ତମାନ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା । ଭାରତୀୟ ନାରୀଙ୍କ ମଥାରୁ ପୋଛି ଦେଇଥିବା ସେଇ ସିନ୍ଦୂର ଟୋପାର ମହତ୍ୱ କେତେ ତାହା ଆତଙ୍କବାଦୀମାନଙ୍କୁ ବୁଝାଇଦେଇଛି ଏହି ଅପରେସନ ସିନ୍ଦୂର । ଆଉ ଏହି ସିକ୍ରେଟ ଅପରେସନ ପାଇଁ ଭାରତୀୟ ସେନାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । କିନ୍ତୁ ଏହି ଅପରେସନର ପ୍ରକୃତ ମାଷ୍ଟର ମାଇଣ୍ଡ ବା ଅସଲ ଖେଳାଳୀ ପଛରେ ଲୁଚିଯାଇଛନ୍ତି । ଅଳ୍ପ କଥା ଆଉ ଅଧିକ କାମରେ ବିଶ୍ୱାସ କରୁଥିବା ଏହି ବ୍ୟକ୍ତ ଜଣକ ବୁଝାଇଦେଇଛନ୍ତି ଯେ, ପ୍ରତିଶୋଧ କେବଳ ଅସ୍ତ୍ର ଶସ୍ତ୍ରରେ ନୁହେଁ ବରଂ କୂଟନୈତିକ ରଣନୀତିରେ ବି ନିଆଯାଇପାରିବ । ତେବେ ଆସନ୍ତୁ ଜାଣିବା କିଏ ସେହି ଅପରେସନ ସିନ୍ଦୂରର ଚାଣକ୍ୟ ।
ଅପେରସନ ସିନ୍ଦୂର । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କିନ୍ତୁ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡ ଏବେ ବି ପଛରେ ଲୁଚିଯାଇଛନ୍ତି । ତେବେ ଏହି ସିକ୍ରେଟ ଅପରେସନର ଚାଣକ୍ୟ ହେଉଛନ୍ତି କଥା କମ୍ ଆଉ କାମ ବେଶୀରେ ବିଶ୍ୱାସ ରଖୁଥିବା ଜାତୀୟ ପରାମର୍ଶ ଦାତା ଅଜିତ୍ ଡୋଭାଲ । ଯାହାଙ୍କର ଦୂରଦୃଷ୍ଟି ଆଉ କୂଟନୀତି ପାଇଁ ଭାରତ ଆତଙ୍କବାଦ ବିରୋଧରେ ଜିତିବା ସହ ଭାରତ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏବେ ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଧୂଳି ଚଟାଇବା ସହ ବିଶ୍ୱ ମଞ୍ଚରେ ପାକିସ୍ତାନକୁ ଅଲଗା କରିବା ପାଇଁ ଭାରତ ଏକ ଅଭିଯାନ ଆରମ୍ଭ କରିଛି । ଯାହାର କମାଣ୍ଡ ଆଣ୍ଡ ଚିଫ୍ ସାଜିଛନ୍ତି ଅଜିତ୍ ଡୋଭାଲ ୍ ।
ଅଜିତ୍ ଡୋଭାଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପଞ୍ଚମ ଏବଂ ବର୍ତମାନର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଛନ୍ତି । ଆଉ ଡୋଭାଲଙ୍କ ନେତୃତ୍ୱରେ ଭାରତ ପୁଣି ଥରେ ଏକ ଅପରେସନ ଜରିଆରେ ଆତଙ୍କବାଦ ବିରୋଧରେ ଛିଡା ହୋଇଛି । ଅପରେସନ ସିନ୍ଦୂର ପୂର୍ବରୁ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ, ୨୦୧୯ରେ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ ଡୋଭାଲଙ୍କ ତତ୍ୱାବଧାନରେ କରାଯାଇଥିଲା । ୧୯୬୮ ମସିହାରେ ଜଣେ ଆଇପିଏସ ଅଧିକାରୀ ଭାବେ ଡୋଭାଲ ନିଜର ପୋଲିସ କ୍ୟାରିୟର ଆରମ୍ଭ କରିଥିଲେ । ମିଜୋରାମ ଏବଂ ପଞ୍ଚାବରେ ବିଦ୍ରୋହ ବିରୋଧୀ ଅଭିଯାନରେ ସକ୍ରିୟ ସାମିଲ ହୋଇଥିଲେ । ୧୯୮୪ ମସିହାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଅପରେସନ ବ୍ଲୁ ଷ୍ଟାର ପାଇଁ ଗୁପ୍ତଚର ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ଡୋଭାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୧୯୯୬ ଜମ୍ମୁ କାଶ୍ମୀର ନିବାଚନ ସମୟରେ ପଥ ପରିସ୍କାର କରିବାରେ ଡୋଭାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୯୯ ମସିହାରେ କାନ୍ଦାହାରରେ ଅପହୃତ ଆଇସି ୮୧୪ ବିମାନରୁ ଯାତ୍ରୀମାନଙ୍କୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡୋଭାଲ । ୧୯୭୧ ରୁ ୧୯୯୯ ମଧ୍ୟରେ ଅତି କମରେ ୧୫ ଥର ଇଣ୍ଡିଆନ୍ସ ଏୟାରଲାଇନ୍ସ ବିମାନ ଅପହରଣକୁ ସଫଳତାର ସହ ସମାପ୍ତ କରିଥିଲେ ଡୋଭାଲ୍ ।
ଏପରିକି ଡୋଭାଲ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ଗୁଡିକ ବିଷୟରେ ଗୁପ୍ତ ସୂଚନା ସଂଗ୍ରହ କରିବାରେ ୭ ବର୍ଷ ପଯ୍ୟନ୍ତ ଜଣେ ଗୁପ୍ତ କାଯ୍ୟକର୍ତା ଭାବରେ କାର୍ଯ୍ୟ କରିଥିଲେ । ଏବଂ ଆତଙ୍କବାଦ ବିରୋଧରେ ରଣନୀତି କରି ସଫଳ ହେବାରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି ଅଜିତ ଡୋଭାଲ୍ । ଏପରିକି ଅବସର ନେବା ପରେ ମଧ୍ୟ ଡୋଭାଲଙ୍କ ଅପରେସନ ବନ୍ଦ ହୋଇନଥିଲା । ୨୦୧୪ ମସିହାରେ ଡୋଭାଲ ଇରାକର ଟିକ୍ରିଟର ଏକ ହସ୍ପିଟାଲରେ ଫସି ରହିଥିବା ୪୬ ଭାରତୀୟ ନର୍ସଙ୍କୁ ରେସ୍କ୍ୟୁ କରିଥିଲେ । ଏପରିକି ମିଆଁମାରର ଏକ ଅଭିଯାନରେ ମଧ୍ୟ ଡୋଭାଲ ନେତୃତ୍ୱ ନେଇଥିଲେ । ୨୦୧୯ରେ ଡୋଭାଲଙ୍କୁ ଆଉ ୫ ବର୍ଷ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ପୁନ ନିଯୁକ୍ତି କରାଯାଇଥିଲା । ଏବଂ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟାଳୟରେ ତାଙ୍କୁ କ୍ୟାବିନେଟ୍ ପଦବୀ ଦିଆଯାଇଥିଲା ।
ତେବେ କେବଳ ଏତିକି ନୁହେଁ, ଭାରତର ସର୍ବକନିଷ୍ଠ ଆଇପିଏସ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିବା ଅଜିତ୍ ଡୋଭାଲଙ୍କୁ କୀର୍ତି ଚକ୍ର ପ୍ରଶଂସନୀୟ ସେବା, ସାମରିକ କର୍ମଚାରୀଙ୍କ ପାଇଁ ଏକ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।