ତିନି ଘଣ୍ଟା ଧରି ବିଜେପି ନେତାଙ୍କୁ କଣ କହିଲେ ମୋଦି ? ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେଉଁ ସମ୍ପର୍କରେ ହେଲା ଆଲୋଚନା ? ସଙ୍ଗଠନକୁ ମଜଭୁତ କରିବା ଦିଗରେ କାର୍ଯ୍ୟକର୍ତ୍ତାଙ୍କୁ କି ମନ୍ତ୍ର ଦେଲେ ବିଜେପି ହାଇକମାଣ୍ଡ ? ଟ୍ୟୁସନ ହେଲେ କି ବିଜେପି ନେତା ?
ତିନିଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସନ୍ଧ୍ୟା ସମୟରେ ତିନି ଘଣ୍ଟା କାଳ ବିଜେପି ନେତାମାନଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ବିଜେପି ହାଇକମାଣ୍ଡ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି । ସମସ୍ତ ବିଧାୟକ ଓ ମନ୍ତ୍ରୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସାର୍ବଜନୀନ ନଥିଲା କିନ୍ତୁ ମୋଦି ଭିତରେ ଗୁରୁମନ୍ତ୍ର ଦେଉଥିଲେ ଯାହା ବାହାରେ ଚର୍ଚ୍ଚା ବଢାଇଥିଲା । 2036 ପର୍ଯ୍ୟନ୍ତ ଶାସନ କରିବାର ଲକ୍ଷ୍ୟ ରଖିଛନ୍ତି ମୋଦି । ଯେଉଁଥିପାଇଁ କିପରି ନିଜର ସଙ୍ଗଠନକୁ ମଜଭୁତ ରଖି ଲୋକଙ୍କ ସହ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଯୋଡି ହୋଇ ରହିବ ସେ ନେଇ ବିଜେପି ନେତା ମାନଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ନିଜକୁ ବିଜେପିର କାର୍ଯ୍ୟକର୍ତ୍ତା ବୋଲି ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକମାନଙ୍କ ସମସ୍ୟା ବୁଝିବା ସହିତ ସବୁବେଳେ ତାଙ୍କର ସହାୟତା କରିବାକୁ କହିଛନ୍ତି । ଖାଲି ସେତିକି ନୁହେଁ ବରଂ ବିରୋଧିଙ୍କ ମାତ ଦେଇ କିପରି ଭୋଟ ହାତେଇବା ତାହା ମଧ୍ୟ କହିଛନ୍ତି । ଗ୍ରାମାଞ୍ଚଳରେ କିପରି ଉନ୍ନତି ମୂଳକ କାର୍ଯ୍ୟ କରାଯିବ ଏବଂ ମନ୍ତ୍ରୀ ମାନେ କିପରି ଠିକ ଭାବରେ ନିଜର କାର୍ଯ୍ୟ କରିବେ ସେ ଦିଗରେ ମଧ୍ୟ ସଚେତନ କରାଇଥିଲେ ।
ଅନ୍ୟପଟେ ଯଦି ଦେଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଆଗାମୀ ଦିନରେ କିପରି ବିଜେଡି ଓ କଂଗ୍ରେସକୁ ମୂଳପୋଛ କରି ବିଜେପିର ବିଜୟ ଯାତ୍ରାକୁ ବଜାୟ ରଖିବା ସେ ଦିଗରେ ମଧ୍ୟ ଆଲୋଚନା କରାଯାଇଛି । ତେବେ ଆଲୋଚନା ସରିବା ପରେ ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ବିଜେପି ନେତା ମାନଙ୍କ ସହ ସଙ୍ଗଠନ ସୃଦୁଢ ସମ୍ପର୍କରେ ଆଲୋଚନା ହେଲା ।