ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ନେଇ ଏଭଳି ଚର୍ଚ୍ଚା ଚାଲିଛି । ପ୍ରମିଳାଙ୍କୁ ନବୀନ ବଡ ଦାୟିତ୍ୱ ଦେଇପାରନ୍ତି ବୋଲି ଆଶଙ୍କା ବଢିଛି । ତେବେ ବିଜେଡିର ସାଙ୍ଗଠନିକ ନିବାଚନ ସରିଥିବା ବେଳେ ଏବେ ବି ବିଜେଡିର ମହିଳା ସଭାନେତ୍ରୀ ପଦରେ ମୋହର ବାଜିବା ବାକି ଅଛି । ବର୍ତମାନ ଦଳର ମହିଳା ସଭାନେତ୍ରୀ ଦାୟିତ୍ୱ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତୁଲାଉଛନ୍ତି । କିନ୍ତୁ ଦଳର ନବକେଳବର ହୋଇଥିବା ବେଳେ ଏହି ପଦବୀ ପାଇଁ ମଧ୍ୟ ନବୀନ ଅନ୍ୟ କାହାକୁ ଦାୟିତ୍ୱ ଦେଇପାରନ୍ତି ବୋଲି ସମ୍ଭାବନା ରହିଛି । ଏପରିକି ଏହି ପଦବୀ ପାଇଁ କେଉଁମାନେ ରେସରେ ଅଛନ୍ତି , ଏବଂ ସେମାନଙ୍କ ମଧ୍ୟରୁ ନବୀନ କାହାକୁ ଭରଷିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ତେବେ ବିଜେଡିର ମହିଳା ସଭାନେତ୍ରୀ ରେସରେ ଯେଉଁ ନାଁ ଗୁଡିକ ସାମ୍ନାକୁ ଆସୁଛି , ସେଥିରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଛି । କାରଣ ପ୍ରମିଳା ଗୋଟିଏ ଆସନରୁ ବାରମ୍ବାର ନିବାଚନ ଜିତିବା ସହ ନିଜର ସାମର୍ଥ୍ୟର ପରିଚୟ ଦେଇଛନ୍ତି । ଏହା ସହ ନବୀନ ମଧ୍ୟ ପ୍ରମିଳାଙ୍କୁ ଦଳରେ ବଡ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ବର୍ତମାନ ପ୍ରମିଳା ଦଳର ମୁଖ୍ୟ ସଚେତକ ପଦରେ ସ୍ଥାନିତ ଅଛନ୍ତି । ଏହା ସହ ଦଳର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ବି ଅଛନ୍ତି ।। ଦଳର ବିଧାୟକ ସହ ସରକାରରେ ଥିବା ସମୟରେ ଏକାଧିକ ଥର ମନ୍ତ୍ରୀ ଭାବରେ କାଯ୍ୟ କରିଛନ୍ତି ପ୍ରମିଳା। କେବଳ ଏତିକି ନୁହେଁ ପୂର୍ବରୁ ଦଳର ମହିଳା ସଭାନେତ୍ରୀ ଭାବେ କାଯ୍ୟଭାର ତୁଲାଇ ଆସିଛନ୍ତି ପ୍ରମିଳା । ତେଣୁ ବିଜେଡିର ଜଣେ ଫାୟାରବ୍ରାଣ୍ଡ ନେତ୍ରୀ ଭାବରେ ବେଶ୍ ପରିଚିତ ଥିବା ପ୍ରମୀଳା ମଲ୍ଲିକଙ୍କୁ ନବୀନ ପୁଣି ଥରେ ଏହି ପଦରେ ସ୍ଥାନିତ କରିପାରନ୍ତି ବୋଲି ଆଶଙ୍କା ବଢି ବଢି ଚାଲିଛି । କିନ୍ତୁ ସବୁବେଳେ ସପ୍ରାଇଜ କାର୍ଡ ଖେଳୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପଦବୀ ପାଇଁ ବି ସପ୍ରାଇଡ କାର୍ଡ ଖେଳିପାରନ୍ତି ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
କାରଣ ଏହି ରେସରେ ଏମିତି ବି ନେତ୍ରୀ ସାମିଲ ଅଛନ୍ତି, ଯେଉଁମାନେ ନିଜ ନିଜ ଦାୟିତ୍ୱ ଠିକ୍ ସେ ତୁଲାଇବା ସହ ନିଜ ସାମର୍ଥ୍ୟର ପରିଚୟ ଦେଇସାରିଛନ୍ତି । କିଏ ବାରମ୍ବାର ନିବାଚନରେ ଜିତି ବିଧାୟିକା ହୋଇଛନ୍ତି ତ ଆଉ କାହା ପାଖରେ ରାଜନୀତିର ଅଭିଜ୍ଞତା ଢେର ରହିଛି । ତେଣୁ ନବୀନ କାହାକୁ ଭରଷିବେ ଏବଂ କାହା ମୁ୍ଣ୍ଡରେ ସୁନା କଳସ ଢାଳିବେ ତାହା ତ ସମୟ କହିବ ।