ସଜବାଜ ଆରମ୍ଭ କଲା ବିଜେଡି
ଗାଁରେ ହେବ ନବୀନ ବନାମ ମୋହନ ଲଢେଇ
ରିପୋର୍ଟ କାର୍ଡ ଧରି ଗାଁ କୁ ଯିବେ ମୋହନ
ବିଜେଡି କହିଲା ପରୀକ୍ଷାରେ ଫେଲ ମୋହନ ?
ଆସନ୍ତା ଜୁନ 12 ତାରିଖରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି ହେବାକୁ ଯାଉଛି । ଜୋରଦାର ପ୍ରସ୍ତୁତି ପାଇଁ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ସମସ୍ତ ବିଭାଗର ମନ୍ତ୍ରୀମାନେ ନିଜ ନିଜର ରିପୋର୍ଟ କାର୍ଡ ପ୍ରସ୍ତୁତ କରୁଛନ୍ତି । ସିଧା ଯାଇ ଗ୍ରାଉଣ୍ଡରେ ପହଞ୍ଚିବେ ଲୋକଙ୍କ ନିକଟରେ ବିଜେପି ସରକାରର ସଫଳତା ଗାଇବେ । ହେଲେ ଏପଟେ ଚୁପ ବସିନାହିଁ ବିରୋଧି ବିଜୁ ଜନତା ଦଳ । ନୂଆ କମିଟି ଗଠନ କରିବା ପରେ ଆରମ୍ଭ ହୋଇଯାଇଛି ସରକାରଙ୍କ ବିରୁଦ୍ଧରେ ରଣନୀତି । ବିଜେଡିର ପୁର୍ନବିନ୍ୟାସ ସରିଛି । ନୂଆ ଟିମ ଗଠନ କରିବା ପରେ ନବୀନ ନିବାସରେ ପ୍ରଥମ ବୈଠକ ହୋଇସାରିଛି । ଏହି ବୈଠକରେ ସରକାରଙ୍କ ବିଫଳତାକୁ କିପରି ଲୋକମାନେ ଜାଣିବେ ସେ ନେଇ ଆଲୋଚନା ହୋଇଛି । ସରକାରକୁ 11 ମାସ ପରେ ବି ଫେଲ ହୋଇଛି ବିଜେପି ।
ସେପଟେ ମୋହନଙ୍କ ଜୋରଦାର ପ୍ରସ୍ତୁତି । ଜୁନ 12 ରୁ 19 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜଧାନୀରୁ ଗାଁ ଗାଁ ପର୍ଯ୍ୟନ୍ତ ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇପାରନ୍ତି । ତେବେ ବିଜେପିର ବର୍ଷେ ପୂର୍ତ୍ତି ସମାରୋହକୁ ନେଇ କଟାକ୍ଷ କରିଛି ବିଜେଡି । ବିଜେଡି କହିଛି ବାର୍ଷିକ ପରୀକ୍ଷାରେ ଫେଲ ହୋଇଛନ୍ତି ମୋହନ ସରକାର । ଏ ସବୁ ଭିତରେ କିନ୍ତୁ ବିଜେପିରେ ଯେତିକି ଉତ୍ସାହ ଦେଖିବାକୁ ମିଳୁଛି ପାୱାର କରିଡୋରରେ ଜୋରଦାର ଚର୍ଚ୍ଚା ବଢୁଛି । ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡର ତର୍ଜମା ଚାଲିଛି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀମାନେ ନିଜ ନିଜର ସଫଳ ରିପୋର୍ଟ କାର୍ଡ ଧରି ଗାଁକୁ ବାହାରିବେ ।
କେବଳ ବିଜେପି ନୁହେଁ ବରଂ ବିଜେଡି ଶିବିରରେ ହଲଚଲ ଦେଖିବାକୁ ମିଳିଛି । ଠିକ୍ ସମୟରେ ନବୀନଙ୍କ ନୂଆ ପିଏସି ଟିମ ଗଠନ କରିଛନ୍ତି । ଦାୟିତ୍ୱ ବାଣ୍ଟିବା ସହିତ ନବୀନଙ୍କ କମିଟିର ନେତାମାନେ ମଧ୍ୟ ଗ୍ରାଉଣ୍ଡକୁ ଯିବେ । ସରକାରଙ୍କ ଦୋଷ,ତ୍ରୁଟିକୁ ବଖାଣିବେ । ତେବେ ଦୁଇ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଜୋରଦାର କସରତରେ କିଏ ବାଜି ମାରୁଛି ତାହା ଦେଖିବାକୁ ଅପେକ୍ଷା ।