ମଦ ମୁକ୍ତ ଓଡିଶା ବଦଳରେ ମଦ ଯୁକ୍ତ ଓଡିଶା ଗଢିଲେଣି ମୋହନ ସରକାର । ମୋହନଙ୍କ ନୂଆ ମଦ ସ୍ଲୋଗାନକୁ ନେଇ ରାଜ୍ୟରେ ପଡିଲାଣି ହଇଚଇ । ହଁ ଆଜ୍ଞା, ମୋହନ ସରକାରରେ ମଦକୁ ନେଇ ଏକ ନୂଆ ସ୍ଲୋଗାନ ଆସିଛି । ୨୦୨୫-୨୬ ନୂଆ ଅବକାରୀ ନୀତିରେ ଏହି ସ୍ଲୋଗାନ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ସ୍ଲୋଗାନଟି ରହିଛି କମ୍ ପିଅ କିନ୍ତୁ ଭଲ ପିଅ । ଯାହାକୁ ନେଇ ଏବେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।
ତେବେ ବିଜେପି ସରକାରରେ ଓଡିଶା ମଦ ମୁକ୍ତ ହେବ । ଓଡିଶାରେ ମଦ ସମ୍ପୂର୍ଣ୍ଣ ବ୍ୟାନ କରାଯିବ । ଏଭଳି ବଡ ବଡ ନାରା ବିଜେପି ନେତାମାନେ ସରକାରକୁ ଆସୁଆସୁ ଦେଉଥିଲେ । ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓଡିଶାରେ ମଦ ସମ୍ପୂଣ୍ଣ ବ୍ୟାନ ହେବା ନେଇ ବୟାନ ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ଏହି ବୟାନରୁ ବିଜେପି ଓହରିଯାଇଥିଲା । ରାଜ୍ୟରେ ମଦ ବନ୍ଦ ଖବରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏପରି ହେଲେ ଓଡିଶାର ରାଜସ୍ୱ ଉପରେ ପ୍ରଭାବ ପଡିପାରେ ବୋଲି ମତପ୍ରକାଶ ପାଇଲା । ଯାହାକୁ ଦୃଷ୍ଟି ରଖି ମଦ ବନ୍ଦ ହେବା ପରିବର୍ତେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲା ହେବନି ଏବଂ ବେଆଇନ ଭାଟି ରହିବନି ବୋଲି ଘୋଷଣା ହେଲା । କିନ୍ତୁ ଏବେ ମଦକୁ ନେଇ ଏକ ସ୍ଲୋଗାନ ବାହାର କରିବା ସହ ଭଲ ମଦ ପିଇବାକୁ ସରକାର ପ୍ରତ୍ସାହନ ଯୋଗାଉଛନ୍ତି ।
ତେବେ ଭଲ ମଦ ପାଇଁ ଶରୀର ପାଇଁ ହିତକର ଥିବା ମାଣ୍ଡିଆରୁ ଏଣିକି ମଦ ପ୍ରସ୍ତୁତ ହେବା ନେଇ ସୂଚନା ମିଳିଛି । ମାଣ୍ଡିଆ, ବାଜରା, ଯଅ ଭଳି ଖାଦ୍ୟ ଶସ୍ୟରୁ ତିଆରି ହେବ ମଦ। ଆଉ ଏହାକୁ ଯେଉଁ କମ୍ପାନୀ ତିଆରି କରିବେ, ସେହି କମ୍ପାନୀକୁ ସବ୍ସିଡି ଯୋଗାଇବେ ରାଜ୍ୟ ସରକାର। ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ହୋଇଛି ମାନସ ମନ୍ଥନ। ନୂଆ ଅବକାରୀ ନୀତି ନେଇ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ହୋଇଛି । ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ବସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାଦ୍ବାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ଓଡ଼ିଶା ତିଆରି ମଦ ରପ୍ତାନୀ ହେବ ବୋଲି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି।