ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ମନମୋହନ ? ଏବେ ମୋହନଙ୍କ ପାଇଁ ନିଜ ପ୍ରତିଶୃତି ପୂରଣ କରିବେ ତ ମନମୋହନ ସମାଲ ? ଦର୍ଶକବନ୍ଧୁ, ଆମେ କହୁଛୁ ବିଜେପିର ୨୧ଟି ନିର୍ବାଚନ ପ୍ରତିଶୃତି ମଧ୍ୟରୁ ଅନ୍ୟତମ ଲୋଭନୀୟ ପ୍ରତିଶୃତି ଚିଟଫଣ୍ଡ ଠକେଇ ଟଙ୍କା ଫେରସ୍ତ ଘୋଷଣା କଥା । ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ କରି ଯଦି ବିଜେପି ସରକାରକୁ ଆସିବ ତେବେ ୨୪ ଘଣ୍ଟା ମଧ୍ୟରେ ଅର୍ଡିନାନ୍ସ କରି ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଟଙ୍କା ଫେରସ୍ତ କରାଯିବା ନେଇ ଘୋଷଣା କରିଥିଲେ । କିନ୍ତୁ ସରକାରକୁ ଆସିବାର ସାଢେ ୬ ମାସ ବିତିଯାଇଥିବା ବେଳେ ଏଯାଏଁ ଏଦିଗରେ କିଛି ବି ଦୃଷ୍ଟାନ୍ତମୂଳକ ପଦକ୍ଷେପ ବିଜେପି ନେଇନି । ନା ଏ ସମ୍ପର୍କରେ କୌଣସି ନେତା ମନ୍ତ୍ରୀ କିଛି ବୟାନ ବାଜି କରୁଛନ୍ତି । କେବଳ ୨୪ ବର୍ଷର ନାରା ଜପିବା ସହ ଦଳୀୟ କାର୍ୟ୍ୟକ୍ରମ କରିବାରେ ଏବଂ ଦେଶ ବିଦେଶ ଗସ୍ତ କରିବାରେ ନେତାମନ୍ତ୍ରୀ ବ୍ୟସ୍ତ ରହୁଛନ୍ତି । ଏବଂ ଚିଟଫଣ୍ଡ ଠକେଇ ଟଙ୍କା ଫେରସ୍ତ ଘୋଷଣା ଅନ୍ୟ ଘୋଷଣା ପରି କେବଳ କାଗଜ ପତ୍ରରେ ରହିଯାଇଥିବା ଅଭିଯୋଗ ଆସୁଛି ।
କିନ୍ତୁ ବିଜେପିର ଏହି ଘୋଷଣା ଏବେ ଦଳ ଉପରେ ଭାରି ପଡିଛି । କାରଣ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ନିଜେ କହିଛନ୍ତି । ଜାତୀୟ ଉପଭୋକ୍ତା ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୯୯୦ ଏବଂ ୨୦୦୨ ମସିହାରେ ଠକେଇର ଶିକାର ହୋଇଥିବା କହିଥିଲେ । ଏପରିକି ଏଯାଏଁ ମଧ୍ୟ ସେ ଟଙ୍କା ତାଙ୍କୁ ଫେରସ୍ତ ମିଳିନଥିବା କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି କଥା ଏବେ ଭାଇରାଲ ହେବା ସହ ବିଜେପି ଶିବିର ଏବଂ ରାଜ୍ୟ ରାଜନୀତିରେ ଚହଳ ପକାଇଛି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଚିଟଫଣ୍ଡ ଠକେଇର ଚେର କେତେ ଲମ୍ବା ତାହା ସ୍ପଷ୍ଟ କରୁଛି । ତେବେ ଦେଖାଯାଉ ଯେଉଁଠି ମୁଖ୍ୟମନ୍ତ୍ରୀ ଆଇନର ସହାୟତା ନେଇ ଲଢେଇ କରି ମଧ୍ୟ ଏଯାଏଁ ଟଙ୍କା ପାଇନାହାନ୍ତି ସେଠି ସାଧାରଣ ଲୋକଙ୍କ କ୍ଷେତ୍ରରେ ବିଜେପି କଣ କରୁଛି ।