ଟଳମଳ ହେଲାଣି ନୂଆ ମନ୍ତ୍ରୀଙ୍କ ମନ୍ତ୍ରୀ ପଦ ? ନେତାଙ୍କୁ ପଦପଦବୀ ପାଇଁ ପଡିଲାଣି ଭାଳେଣୀ । ହଁ ଆଜ୍ଞା, ପୁଣି ଥରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପାଇଁ ବିଜେପି ଆରମ୍ଭ କରିଛି କସରତ । ଖାଲି ପଡିଥିବା ୬ଟି ମନ୍ତ୍ରୀ ପଦ ସହ କିଛି ମନ୍ତ୍ରୀ ରିପ୍ଲେସ ହେବାର ଆଶଙ୍କା କରାଯାଉଛି । ଆଉ ଏହି ଲିଷ୍ଟରେ ଆଗରେ ରହିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କାହିଁକି ନା ଯେବେଠାରୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ସେବେଠାରୁ କୌଣସି ନା କୌଣସି ବିବାଦରେ ଛନ୍ଦି ହୋଇଛନ୍ତି । ସେ ଆଳୁ ପ୍ରସଙ୍ଗକୁ ନେଇ ହେଉ ବା ଦରଦାମ ବୃଦ୍ଧିକୁ ନେଇ ହେଉ ବା ଧାନ କିଣା ପ୍ରସଙ୍ଗକୁ ନେଇ ହେଉ । ମନ୍ତ୍ରୀଙ୍କ ଗୋଟିଏ ପରେ ଗୋଟିଏ ବୟାନ ତାଙ୍କ ପାଇଁ କାଳ ସାଜିଛି । ଏପରିକି ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ କରାଯାଉଛି । ଯେଉଁକାରଣରୁ ବିଜେପି ସରକାରରେ ବିବାଦୀୟ ମନ୍ତ୍ରୀ ଏବଂ ଅଯୋଗ୍ୟ ମନ୍ତ୍ରୀ ବୋଲି ଅନେକ ବୟାନବାଜି ମଧ୍ୟ କରାଯାଉଛି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜ ମନ୍ତ୍ରୀ ପଦରୁ ହାତ ଧୋଇ ବସିବା ନେଇ ଆଶଙ୍କା ବଢି ବଢି ଚାଲିଛି ।
ଅନ୍ୟପଟେ କେବଳ ଯୋଗାଣ ମନ୍ତ୍ରୀ ନୁହଁନ୍ତି , ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ମଧ୍ୟ ସମାନ ସ୍ଥିତି । ଏହି ଦୁଇ ମନ୍ତ୍ରୀଙ୍କ କବଜାରେ ୨ରୁ ଅଧିକ ବିଭାଗ ରହିଛି । କିନ୍ତୁ କୌଣସି ବିଭାଗ ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳୁନି । ଆଇନ ବିଶୃଙ୍ଖଳା ବଢିବଢି ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସୁଛି । ଆଉ ଏଥିପାଇଁ ଏମାନେ ମଧ୍ୟ ଏହି ଲିଷ୍ଟରେ ସାମିଲ ଥାଇପାରନ୍ତି ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
ତେବେ ସରକାରକୁ ଆସିବା ପରେ ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ୧୬ ଜଣ ମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । କିନ୍ତୁ ଗତ ସରକାରରେ ୨୨ ଜଣ ମନ୍ତ୍ରୀ ନିଯୁକ୍ତ ହୋଇଥିବା ବେଳେ ବିଜେପି ସରକାରରେ ମାତ୍ର ୧୬ ଜଣ ମନ୍ତ୍ରୀଙ୍କୁ ନେଇ ସରକାର ଚଳାଉଛି ବିଜେପି । ଆଉ ଏହାକୁ ନେଇ ନାନାପ୍ରଶ୍ନ ମଧ୍ୟ ଉଠୁଛିା କାହିଁକି ନା ବିଜେପି ରାଜ୍ୟରେ ସରକାର ଚଳାଇବାର ୯ ମାସ ହୋଇଗଲାଣିା କିନ୍ତୁ ଏଯାଏଁ ମନ୍ତ୍ରୀ ମଣ୍ଡଳ ସମ୍ପୂର୍ଣ୍ଣ ରୂପେ ସମ୍ପ୍ରସାରଣ ହୋଇନାହିଁ । ଏପରିକି ଜଣେ ମନ୍ତ୍ରୀଙ୍କ ପାଖରେ ଅଧିକ ବିଭାଗର ଦାୟିତ୍ୱ ରହୁଥିବାରୁ ସେ ଏହାକୁ ତୁଲାଇବାରେ ସକ୍ଷମ ହୋଇପାରୁନଥିବା ମଧ୍ୟ ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଗୋଟିଏ ଜିଲ୍ଲାରୁ ଦୁଇ ଦୁଇ ଜଣ ମନ୍ତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅପସାରିତ କରାଯିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ମୋହନଙ୍କ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ କେଉଁ ନୂଆ ପରିବର୍ତନ ଆସୁଛି ଏବଂ କିଏ କିଏ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।