ଶୀତ କାକରରେ ରାସ୍ତା କଡରେ ଶୋଇଛନ୍ତି ହଜାର ହଜାର ଲୋକ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଧାନ ନଡା ବିଛାଇ ରାତ୍ରୀ ଯାପନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । । କିନ୍ତୁ ସରକାର ଶୋଇଛନ୍ତି କୁମ୍ଭକର୍ଣ୍ଣ ନିଦ୍ରାରେ । ପୋଲିସଙ୍କୁ ଦାୟିତ୍ୱ ଦେଇ ସରକାର ନିଜେ ନିଦା ବିଷ୍ଣୁ ସାଜିଥିବା ଏହି ଭିଡିଓକୁ ଦେଖିଲେ ସ୍ପଷ୍ଟ ପ୍ରମାଣିତ ହେଉଛି ।
ତେବେ ଏଦୃଶ୍ୟ ହେଉଛି ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟର । ଯୋଗୀ ରାଇଜରେ କିପରି ଅତିଥି ଏବଂ ପର୍ଯ୍ୟଟକମାନେ ରାତ୍ରି ଯାପନ କରୁଛନ୍ତି ତାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶର ପ୍ରୟାଗ ରାଜରେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା । ଯେଉଁଥିରେ ସାମିଲ ହେବା ନେଇ ପ୍ରତିଦିନ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜକୁ ଛୁଟି ଆସୁଛନ୍ତି । ୧୪୪ ବର୍ଷ ପରେ ଏହି ମହାକୁମ୍ଭରେ ସାମିଲ ହେବା ନେଇ ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଅବ୍ୟବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କାରଣ ଏଠାରେ ନା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବ୍ୟବସ୍ଥା ଅଛି ନା କୌଣସି ସୁବିଧା ସୁଯୋଗ । ଫଳରେ ରାସ୍ତା କଡରେ ହିଁ ଶ୍ରଦ୍ଧାଳୁମାନେ ରାତ୍ରି ଯାପନ କରୁଥିବା ଦେଖିବାକୁ ମିଳୁଛିା ଯାହାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠୁଛି ।
ଅନ୍ୟପଟେ କୁମ୍ଭମେଳାରେ କିଛି ଦିନ ପୂର୍ବରୁ ଏକ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଥିଲା । ଶାସ୍ତ୍ରୀ ବ୍ରିଜ୍ ନିକଟ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଟେଣ୍ଟ ଗୁଡ଼ିକ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ରାସ୍ତା କଡରେ ଶ୍ରଦ୍ଧାଳୁ ଶୋଇଥିବା ଦେଖିବାକୁ ମିଳୁଛି । ଆଉ ଏଥିରୁ କୁମ୍ଭ ମେଳାର ଅସଲ ଚିତ୍ର ଏବଂ ଯୋଗୀ ରାଇଜରେ ଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।