କିଛି ଛାଡିଲାନି ଚୋର ଘରେ ବୁଲାଇଲା କଳାକନା । ସିସିଟିଭିରେ କଏଦ ହେଲା ଦୃଶ୍ୟ କିପରି ନିରଞ୍ଜନଙ୍କ ଘରୁ ଲୁଟ କରିଥିଲା ଲେଟୁରା । ହଁ ଆଜ୍ଞା ରାଜଧାନୀରେ ଗୋଟିଏ ଚର୍ଚ୍ଚା । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଘରୁ ଚୋରି ହେଲା 50 ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ନଗଦ ଅଢେଇ ଲକ୍ଷ ଟଙ୍କା । ଯିଏ ଶୁଣୁଛି ତାଜୁବ ହେଉଛି । କେମିତି ହେଲା ଚୋରି କଣ କରୁଥିଲା କମିଶନରେଟ ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ନିରଞ୍ଜନଙ୍କ ଘର । 25 ତାରିଖ ରାତିର ଘଟଣା ଘରେ କେହି ନଥିବା ସୁଯୋଗ ପାଇ ଉତପାତ ରଚିଥିଲା ଚୋର ।
ତେବେ ନିରଞ୍ଜନଙ୍କ ଘରୁ ଚୋରି ପରେ ଛାନଭିନ ଆରମ୍ଭ କରିଛି କମିଶନରେଟ ପୋଲିସ । ତେବେ ଘରୁ ଚୋରି ହେବା ପରେ ମୋହନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଏହି ପୋଷ୍ଟ ଜରିଆରେ ନିରଞ୍ଜନ କହିଛନ୍ତି କି ବିଗତ କାଲି ମୋ ଘରେ ଚୋରି ହୋଇଛି, ଏହି ଘଟଣା କେବଳ ମୋ ପରିବାର ପାଇଁ ନୁହେଁ ବରଂ ସମସ୍ତ ଭୁବନେଶ୍ୱର ବାସୀଙ୍କ ସୁରକ୍ଷାକୁ ନେଇ ମୁ ଚିନ୍ତିତ । ସରକାରଙ୍କ ଅବହେଳା କାରଣରୁ ଆମେ ଆମ ଘର,ଆମ ସାହି ,ଆମ ସମ୍ପଦ ବିପଦରେ ପଡିଛି । ଓଡିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିନ୍ତ କରନ୍ତୁ ଏବଂ ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ । ଭୁବନେଶ୍ୱରକୁ ସୁରକ୍ଷିତ ରଖନ୍ତୁ ।
ତେବେ ମୋହନ ସରକାରଙ୍କୁ ନିରଞ୍ଜନଙ୍କ ତେରଚ୍ଛା ବାଣ ପରେ ଏବେ ଏହାର ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଘଟଣାର ତଦନ୍ତ ହେବ ଏବଂ ଚୋରକୁ ଧରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ଚର୍ଚ୍ଚା ଯଦି ନିରଞ୍ଜନ ପଟ୍ଟନାୟକଙ୍କ ଭଳି ଜଣେ ହାଇପ୍ରୋଫାଇଲ ନେତାଙ୍କ ଘରୁ ଚୋରି ହୋଇପାରୁଛ ତେବେ ସାଧାରଣ ଜନତା ରାଜଧାନୀରେ କେତେ ସୁରକ୍ଷିତ । ଓଡିଶା ସରକାର ଓ ଓଡିଶା ସରକାରଙ୍କ ପୋଲିସ ପ୍ରଶାସନ ଉପରକୁ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି କଂଗ୍ରେସ ନେତା । ତେବେ ଓଡିଶାବାସୀଙ୍କୁ ପ୍ରତିଶ୍ରୁତି ଦେଉଥିବା ରାଜ୍ୟ ସରକାର ନିରଞ୍ଜନଙ୍କୁ ଯେଉଁ କଥା ଦେଇଛନ୍ତି ତାହା ପୂରଣ କରିବାରେ କେତେ ସଫଳ ହେଉଛନ୍ତି ।