ରାଜ୍ୟରେ ତାଣ୍ଡବ ରଚିଲା କାଳବୈଶାଖୀ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କେଉଁଠି ବଜ୍ରପାତ ତ ଆଉ କେଉଁଠି କୁଆପଥର ମାଡରେ ଉଜୁଡିଯାଇଛି ଚାଷୀଙ୍କ ପରିବାର । କାହା ଧାନ ଫସଲ ନଷ୍ଟ ହୋଇଯାଇଛି ତ ଆଉ କାହାର ପରିବା ଚାଷ ଉଜୁଡି ଯାଇଛି । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ବିନିକା ବ୍ଲକର ଏକାଧିକ ଅଞ୍ଚଳରେ ଘଡଘଡି ସହ ତୁହାକୁ ତୁହା ବର୍ଷା ହୋଇଛି ।
ତା’ସହ ପ୍ରବଳ କୁଆ ପଥର ମାଡ଼ ଯୋଗୁ ଏସବୁ ଅଞ୍ଚଳରେ ବ୍ୟାପକ ନଷ୍ଟ ହୋଇଛି ଧାନ ଫସଲ ଓ ପରିବା ଚାଷ । ସେପଟେ ଗଞ୍ଜାମ ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ୩୨ଟି ଛେଳିର ଜୀବନ ଯାଇଛି । ଗତକାଲି ବର୍ଷା ପାଇଁ ଛେଳି ଗୁଡିକ ଗଛ ମୂଳେ ଥିବାବେଳେ ହଠାତ ବଜ୍ରାଘାତ ହୋଇଥିଲା । ସେହିପରି ରାଉରକେଲା ସହରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

You can share this post!
author