ବାଜିଲା ନିର୍ବାଚନ ବିଗୁଲ ଜୁନ 19ରେ ପଡିବ ଭୋଟ । ସରଗରମ ରାଜନୀତି କାହାକୁ ଭୋଟ ଦେବେ ବିଧାୟକ । ଆଠଟି ଆସନରେ ଭୋଟ ପଡିବାକୁ ଯାଉଛି । ରାଜ୍ୟସଭାର ଆଠଟି ଆସନ ଖାଲି ହେବାକୁ ଯାଉଛି ଆଉ ଏଥିପାଇଁ ଆସନ୍ତା ଜୁନ ମାସରେ ଭୋଟ ପଡିପାରେ । କିଏ ଅକ୍ତିଆର କରିବ ଆଠଟି ଆସନ ସେ ନେଇ ଅଙ୍କକଶା ଆରମ୍ଭ ହୋଇଯାଇଛି । ତାମିଲନାଡୁର ଦୁଇଜଣ ସାଂସଦଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେଉଥିବା ବେଳେ ଆସାମର ଦୁଇଜଣ ସାଂସଦ ଅବସର ନେବାକୁ ଯାଉଛନ୍ତି । ଏହି ଆଠଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ଜୁନ 2 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଜୁନ 9 ତାରିଖ ଭିତରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ଖାଲି ହେବାକୁ ଥିବା ଏହି ଆଠଟି ସିଟରେ କେଉଁ ନେତା ବସିବେ ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଯାଇଛି ।
ତେବେ ତାମିଲନାଡୁରେ ମୋଟ 234ଜଣ ବିଧାୟକ ରହିଛନ୍ତି ଆଉ ଜଣେ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଜିତିବାକୁ 34 ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ଏହି ଦୃଷ୍ଟିରୁ ତାମିଲନାଡୁରେ ଡିଏମକେ ମେଣ୍ଟର ଚାରିଜଣ ପ୍ରାର୍ଥୀ ଜିତିବା ଏକ ପ୍ରକାର ପକ୍କା ଅଟେ ଏବଂ ଗୋଟିଏ ସିଟ୍ କଂଗ୍ରେସକୁ ଦିଆଯାଇପାରେ ବୋଲି କୁହାଯାଉଛି । ଅନ୍ୟ ବାକି ୨ ଟି ଆସନରେ ଜିତିବାକୁ ହେଲେ ଏଆଇଏଡିଏମକେକୁ ବିଜେପିର ସାହାଯ୍ୟ ଆବଶ୍ୟକ ।
ତେବେ ଆସାମରେ ବିଜେପିର 64 ଜଣ ବିଧାୟକ ରହିଥିବା ବେଳେ ଦୁଇଟି ଯାକ ସିଟରେ ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ବିଜେପିକୁ ଆସାମ ଗଣ ପରିଷଦର ୯ ଜଣ ଏବଂ ୟୁପିପିଏଲର ୭ ଜଣ ବିଧାୟକଙ୍କୁ ନିଜ ସହ ଯୋଡ଼ିବା ସହିତ ଆହୁରି ୬ ଜଣ ବିଧାୟକଙ୍କ ଭୋଟ୍ ଦରକାର ହେବ । ତେଣୁ ଏପରି ପରିସ୍ଥିତିରେ କ୍ରସ୍ ଭୋଟିଂ ହେଲେ ହିଁ, ବିଜେପିର ଦୁଇ ଜଣ ଯାକ ପ୍ରାର୍ଥୀ ରାଜ୍ୟସଭା ଯିବେ । ଆସାମରେ କଂଗ୍ରେସ ମଧ୍ୟ ନିଜ ଦଳର ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ରଣନୀତି ଆରମ୍ଭ କରିଦେଇଛି । ତେବେ ଦୁଇଟି ଯାକ ରାଜ୍ୟରେ ଉଭୟ ଶାସକ ଓ ବିରୋଧି ରାଜ୍ୟସଭା ସିଟ୍ ହାତେଇବା ପାଇଁ ରଣନୀତି ଆରମ୍ଭ କରିଥିବା ବେଳେ କିଏ ବାଜି ମାରିବ ତାହା ଦେଖିବାକୁ ଅପେକ୍ଷା ।