ରାତିଅଧିଆ ବବିଙ୍କ ମିଟିଙ୍ଗ୍

ରାତିଅଧିଆ ବବିଙ୍କ ମିଟିଙ୍ଗ୍

କିଛିଦିନର ବିରାମ ପରେ ପୁଣି ଆରମ୍ଭ ହୋଇଯାଇଛି ଲଢେଇ । ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ ସାରଥୀ ପରି କାର୍ଯ୍ୟକାରୀ କରୁଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେଡିର କିଛି ନେତାଙ୍କୁ ସାବାଡ କରିବା ପାଇଁ ନବୀନ ନିବାସରୁ ଶଙ୍ଖଭବନ ପର୍ଯ୍ୟନ୍ତ ସବୁଠି ଚାଲିଛି ମାନସମନ୍ଥନ । 24 ନିର୍ବାଚନରେ ହାମ୍ୱୁଡେଇ ପଡିଥିବା ଦଳ ଏବେ ଅଣ୍ଟା ସଳଖି ଛିଡା ହୋଇଛି । ନବୀନଙ୍କ ନବମପାଳିରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ବିରୋଧି ଦଳର ଭୂମିକା ନିଭେଇବା ସହିତ ନିଜ ଦଳୀୟ ନେତାଙ୍କୁ ଦାୟିତ୍ୱବଣ୍ଟନ ତା ସାଙ୍ଗକୁ ଶାସକ ଦଳ ବିରୁଦ୍ଧରେ ନୂଆ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ ପରି ଅନେକ ଚ୍ୟାଲେଞ୍ଜ ରହିଛି ବିଜେଡି ସୁପ୍ରିମୋଙ୍କ ପାଇଁ । ଆଉ ଯେଉଁଥିପାଇଁ ସାମ୍ନାକୁ ଆସିଛନ୍ତି ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କୁ ନବୀନ ଉପସଭାପତି ଦାୟିତ୍ୱ ଦେବା ପରେ ଆରମ୍ଭ ହୋଇଛି ଅସଲ ଲଢେଇ ।

କେବଳ ଯାଜପୁର ନୁହେଁ ସାରା ରାଜ୍ୟରେ ବିଜେଡି କିପରି ସଶକ୍ତ ହେବ ସେନେଇ ଷ୍ଟ୍ରାଟେଜି ପ୍ରସ୍ତୁତି ହେଉଛି । ମେଳିବାନ୍ଧୁଛନ୍ତି ବିଜେଡି ନେତା ଘଟିପାରେ କିଛି ବଡ ଘଟଣା । ଗତକାଲି ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ରାତିଅଧିଆ ବସିଛି ବଡ ବୈଠକ । ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀଙ୍କ ଘରେ ବବିଙ୍କ ବୈଠକ ବସିଥିବା ଚର୍ଚ୍ଚା ହେଉଛି । ତେବେ ହଠାତ୍ ରାତିଅଧିଆ ବବିଙ୍କ ଏହି ମେଳିକୁ ନେଇ ନାନା ପ୍ରଶ୍ନ ଉଠିଛି । କାହିଁକିନା ବିଜେଡିର ପରାଜୟ ପରେ ନିକଟରେ ବିଜେଡିର ଯୁବ ଓ ବରିଷ୍ଠ ନେତାଙ୍କ ମେଳି ନବୀନଙ୍କ ମୁଣ୍ଡ ବିନ୍ଧା ବଢାଇଥିଲା । ଆଉ ବର୍ତ୍ତମାନ ସମୟରେ ପ୍ରଣବ ପ୍ରକାଶ ଦାସ କେଉଁ ଉଦ୍ଦେଶ୍ୟ ନେଇ ମେଳି କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା କୁହାଯାଉଛି କି ନବୀନଙ୍କ ନିର୍ଦ୍ଦେଶରେ ବବି ବିଜେଡି ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ବିଜେଡିରୁ ବବିଙ୍କ ପକ୍ଷଛେଦନ ହୋଇଥିବା ନେଇ ରାଜ୍ୟ ରାଜନୀତିରେ ନାନାଦି ଆଲୋଚନା ହେଲା କିନ୍ତୁ ବିଜେଡିର ସମସ୍ତ ବୈଠକ ଓ କମିଟିରେ ବବିଙ୍କ ନାଁ ରହିଛି ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେଡି ପାଇଁ ଛାୟା ନେତା ବଳି କାମ କରୁଛନ୍ତି ପ୍ରଣବ । ତେବେ ହଠାତ୍ ରାତିଅଧିଆ ବବିଙ୍କ ଏହି ମେଳି ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା କେବେ ସାମ୍ନାକୁ ଆସୁଛି ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *