୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ଦିନଠାରୁ ଚଳଚଞ୍ଚଳ ହୋଇପଡିଛନ୍ତି ନେତାମନ୍ତ୍ରୀ । କିପରି ଏଥର ସରକାରକୁ ଆସିବେ, ଶାସକ ଦଳକୁ ଗାଦିଚ୍ୟୁତ କରି ଶାସନ ଗାଦିରେ ବସିବେ ସେନେଇ ରୋଡମ୍ୟାପ ରେଡୀ କରି ମଇଦାନକୁ ଓହ୍ଲାଉଛନ୍ତି । ଆଉ ଏଥିପାଇଁ ତୃଣମୂଳ ସ୍ତରରେ ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରଚାର ଉପରେ ପ୍ରଚାର କରୁଛନ୍ତି । ଦୀର୍ଘ ୨୫ ବର୍ଷ ଧରି ଗୋଟିଏ ରାଜନୈତିକ ଦଳ ବିଜୁ ଜନତା ଦଳ ଓଡିଶାରେ ଶାସନ ଭାର ତୁଲାଉଥିବାରୁ ଏଥର ବିଜେଡିକୁ ହଟାଇ ବିରୋଧୀ ଏହାକୁ ନିଜ କବଜାକୁ ନେବା ପାଇଁ ଦିଲ୍ଲୀରୁ ଓଡିଶା ଧାଇଁ ଆସୁଛନ୍ତି । ରାଜଧାନୀରେ ରୋଡ ଶୋ ପରେ ରୋଡ ଶୋ କରୁଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବୁଲି ବୁଲି ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶୀର୍ଷ ନେତୃତ୍ୱ ମାନେ ଅହରହ ଉଦ୍ୟମ ଚଳାଇଛନ୍ତି । ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ମାସରୁ ଲଗାତାର ଓଡିଶା ଗସ୍ତରେ ଆସିବା ସହ ମାରାଥନ ପ୍ରଚାର ଏବଂ ରୋଡ ସୋ କରୁଛନ୍ତି । କେତେବେଳେ ଭୁବନେଶ୍ୱର ତ କେତେବେଳେ ପୁରୀ ତ ଆଉ କେତେବେଳେ ସମ୍ବଲପୁର ଗସ୍ତରେ ଆସି ଲୋକଙ୍କୁ ବିଜେପିକୁ ଭୋଟ ଦେବାକୁ ଉଦବୋଧ ଦେଉଛନ୍ତି । ସେହିପରି ରାଜ୍ୟର ଏଥର କଂଗ୍ରେସର ସ୍ଥିତି ସୁଧାରିବାକୁ ଦିଲ୍ଲୀରୁ କଂଗ୍ରେସର ହାଇପ୍ରୋଫାଇଲ ନେତା ରାହୁଲ ଗାନ୍ଧି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ପ୍ରିୟଙ୍କାଗାନ୍ଧି , ଆଦି ହେଭିୱେଟ ନେତାମାନେ ଘନଘନ ଓଡିଶାକୁ ଆସି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଏମାନଙ୍କ ଗସ୍ତର କିଛି ବି ପ୍ରଭାବ ବିଜେଡି ଉପରେ ପଡୁନି । ବିଜେଡି ଏଥର ବି ଜିତିବା ପାଇଁ ଅଣ୍ଟା ଭିଡିବା ସହିତ ନିଜ ପ୍ରଚାରକୁ ଜୋରଦାର ରଖିଛି । ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ରଣକ୍ଷେତ୍ରକୁ ହୁଲସ୍ତୁଲ କରୁଛନ୍ତି । ତେବେ ସବୁ ଦଳ ପ୍ରାଣପଣେ ଏଥର ଜିତିବା ପାଇଁ ଏବଂ ରାଜ୍ୟରେ ସରକାର ଗଢିବାକୁ ଉଦ୍ୟମ ଚଳାଇଥିବା ବେଳେ ଦେଖାଯାଉ କାହାର ପ୍ରଚାର ଲୋକଙ୍କୁ ଆକୃଷ୍ଟ କରିଛି ଏବଂ କିଏ ଓଡିଶାରେ ସରକାର ଗଢୁଛି ତାହା ଦେଖିବାକୁ ଅପେକ୍ଷା ।

You can share this post!
author