ଆଗ୍ରେସିଭ ମୋଡରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମହିଳା ଦିବସରେ ବିଜେପି ବିଧାୟକଙ୍କ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ । ମହିଳା ଦିବସରେ ମାହାଙ୍ଗା ନିବାଚନ ମଣ୍ଡଳୀରେ ଜଣେ ପଞ୍ଚାୟତ ସମିତି ସଭ୍ୟାଙ୍କୁ ମରଣାନ୍ତକ ଆକ୍ରମଣ ହେବା ଏବଂ ଏଥିରେ ମାହାଙ୍ଗା ବିଧାୟକଙ୍କ ସମର୍ଥକ ସାମିଲ ଥିବା ଅଭିଯୋଗ ଆଣି ବିଜେପି ବିରୁଦ୍ଧରେ ରଣହୁଙ୍କାର ଦେବା ସହ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପିକୁ ସମାଲୋଚନା କରିବା ସହ ବିଧାୟକଙ୍କ ଗିରଫ ଦାବି କରିଛନ୍ତି ।
ତେବେ ମାର୍ଚ୍ଚ ୮ତାରିଖ ଦିନ ମାହାଙ୍ଗା ନିବାଚନମଣ୍ଡଳୀ ଅନ୍ତର୍ଗତ ପୋଡାମରାଇ ପଞ୍ଚାୟତର ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶନୀ ରାଉତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସୋନାଲି ରାଉତ ଘରେ ଥିବା ବେଳେ ମାହାଙ୍ଗା ବିଧାୟକଙ୍କ କିଛି ସମର୍ଥକ ତାଙ୍କ ଘରେ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ତାଙ୍କ ମଙ୍ଗଳସୂତ୍ର ଛିଣ୍ଡାଇ ମାହାଙ୍ଗା ବିଧାୟକଙ୍କ ବିରୁଧରେ ଗଲେ ପରିଣାମ ଆହୁରି ଭୟଙ୍କର ହେବା ନେଇ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ବିଜେଡି ବିଜେପି ଉପରେ ଖୁବ ବର୍ଷିଛି ।