ବିଜେଡିରେ ଚାଲିଛି କଣ ? ସରିଗଲା ନଭେମ୍ୱର ହେଲେ କାହିଁକି ପଦାକୁ ବାହାରିଲେନି ନବୀନ ପଟ୍ଟନାୟକ ? ନବୀନଙ୍କ ଜିଲ୍ଲା ଗସ୍ତରେ କିଏ ସୃଷ୍ଟି କଲା ବାଧା ? ବିଜେଡି ଶିବିରରେ କେଉଁ ପ୍ଲାନ କରୁଛନ୍ତି ସୁପ୍ରିମୋ ? କି ଶଙ୍କାରେ ପଡିଯାଇଛନ୍ତି ନବୀନ ? ହଁ ଆଜ୍ଞା ନିର୍ବାଚନର ପରାଜୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କେତେ ରହିଛି ତାହା କାହାକୁ ଅଛପା ନାହିଁ । ହାରିବା ପରେ ନବୀନଙ୍କ ଚମକ କମିବା ବଦଳରେ ବଢିବାରେ ଲାଗିଛି । ନିଜର ଜନସମ୍ପର୍କକୁ ପୂର୍ବ ପରି ବଜାୟର ରଖିବା ପାଇଁ ମାଷ୍ଟର ପ୍ଲାନ ଖେଳୁଛି ବିଜେଡି ।
ଗତ ଅକ୍ଟୋବର ମାସରେ ବିଜେଡି ଆରମ୍ଭ କରିଥିଲା ଜନସମ୍ପର୍କ ପଦଯାତ୍ରା । ପ୍ରତି ଜିଲ୍ଲା ଓ ବ୍ଲକରେ ବିଜେଡି ନିଜର ଜନସମ୍ପର୍କ ବୃଦ୍ଧି ପାଇଁ ପଦାଯାତ୍ରା କରୁଛି । ସୂଚନା ମୁତାବକ ନଭେମ୍ୱର ମାସରୁ ଖୋଦ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନିଜେ ମଇଦାନକୁ ଓହ୍ଲାଇଥାନ୍ତେ ଏବଂ ଜିଲ୍ଲାକୁ ଜିଲ୍ଲା ବୁଲି ନିଜର ଲୋକପ୍ରିୟତା ବଢାଇଥାନ୍ତେ । କିନ୍ତୁ ନଭେମ୍ୱର ସରିଗଲା ହେଲେ ନବୀନ ପଦାକୁ ବାହାରିଲେନି । ଶଙ୍ଖଭବନ ଓ ସୋସିଆଲ ମିଡିଆରେ ହିଁ ସୀମିତ ରହିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଶଙ୍ଖଭବନରେ ସମୀକ୍ଷା କରି ଓ ପୂଜା ମଣ୍ଡପ ବୁଲି ଏହିପରି ରଣନୀତି କରି ନିଜର ଲୋକପ୍ରିୟତାକୁ ବଜାୟ ରଖିଛନ୍ତି । ଏବଂ ମଝିରେ ମଝିରେ ସୋସିଆଲ ମିଡିଆ ମାଧ୍ୟମରେ ଶାସକ ଦଳକୁ କଡା ଜବାବ ଦେଇ ଚର୍ଚ୍ଚାକୁ ଆସିଥାନ୍ତି । ହେଲେ ନଭେମ୍ୱର ସରି ଡିସେମ୍ୱର ହେଲା ଏବଂ ଗୋଟିଏ ପଟେ ବିଧାନସଭା ଅଧିବେଶନ ମଧ୍ୟ ଆରମ୍ଭ ହୋଇଗଲା କିନ୍ତୁ ନବୀନଙ୍କ ଜିଲ୍ଲା ଗସ୍ତ ନେଇ କୌଣସି ସୂଚନା ଆସିଲାନି ।
ତେବେ ଚର୍ଚ୍ଚା କିଏ ଅଟକାଇଲା ନବୀନଙ୍କ ଜିଲ୍ଲା ଗସ୍ତ ? ନିର୍ବାଚନ ସରିବାକୁ ଛଅମାସ ବିତିଗଲା ଏବଂ ଏବେ ପର୍ଯ୍ୟନ୍ତ ଦଳୀୟ ସଙ୍ଗଠନର ସ୍ଥିତି ଠିକ ନାହିଁ । ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ପୂର୍ବଭଳି ଆଗେଇ ପାରୁ ନାହିଁ । ଅନ୍ୟପଟେ ମୋଦିଙ୍କ ତିନିଦିନିଆ ଓଡିଶା ଗସ୍ତ ବିଜେଡିକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛି । ଧୀରେ ଧୀରେ ରାଜ୍ୟରେ ବିଜେପି ସରକାରର ଲୋକପ୍ରିୟତା ବଢୁଥିବା ବେଳେ କିଭଳି ବିଜେପିକୁ ଚେକ ଦେଇ ବିଜେଡି ଆଗକୁ ଯିବ ସେ ନେଇ ଶଙ୍ଖଭବନରେ ଆରମ୍ଭ ହୋଇଗଲାଣି କସରତ । ଏତେ ଚର୍ଚ୍ଚା ଭିତରେ ନବୀନଙ୍କ ଲୋକପ୍ରିୟତାକୁ ବଜାୟ ରଖିବା ପାଇଁ ବିଜେଡି ଆଗକୁ କେଉଁ ମାଇଣ୍ଡ ଗେମ ଖେଳୁଛି କେବଳ ତାହାର ଅପେକ୍ଷା ।