ଆରମ୍ଭ ହେଲା କାଉଣ୍ଟଡାଉନ ଆସନ୍ତାକାଲି ଶଙ୍ଖଭବନରେ ବସିବ ବଡ ବୈଠକ । ଆଜି ରାତିରେ କେଉଁ ନେତାଙ୍କୁ ଯିବ ଫୋନ କଲ୍ ବୈଠକରେ କଣ ପ୍ରଶ୍ନ କରିବେ ନବୀନ ? ନବୀନଙ୍କ ନବମ ପାଳିରେ ଗୋଟିଏ ପରେ ଗୋଟିଏ ବିସ୍ପୋରଣ କରୁଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ନିଜେ ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବା ପରେ ଦଳର ଆମୂଳଚୂଳ ପରିବର୍ତ୍ତନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ କମିଟି ଗଠନ କରି ବରିଷ୍ଠ ଓ ଯୁବ ନେତାଙ୍କୁ ଥଇଥାନ କରୁଛନ୍ତି ତ ଆଉ କେତେବେଳେ ରାତିଅଧିଆ ମିଟିଙ୍ଗ ଡାକି ବିଜେଡି ନେତାଙ୍କୁ କର୍ଣ୍ଣମନ୍ତ୍ର ଦେଉଛନ୍ତି । ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଅସଲ ଲଢେଇ । ଏପଟେ ସରକାରକୁ ବର୍ଷେ ପୁରୁଛି ତ ସେପଟେ ବିଜେଡିକୁ ବିରୋଧି ଦଳରେ ରହିବାକୁ ମଧ୍ୟ ବର୍ଷେ ପୁରୁଛି ।
ନିଜ ସଫଳତାର ବୁକ୍ ଧରି ବୁଲୁଛନ୍ତି ମୋହନ ତ ଏପଟେ ନବୀନ ମୋହନଙ୍କ ବିଫଳତାକୁ ଥାକ ମାରି ରଖୁଛନ୍ତି । ବିଧାନସଭାରୁ ରାଜଭବନ ପର୍ଯ୍ୟନ୍ତ ବିରୋଧି ଦଳ ବିଜେଡି ମୋହନ ସରକାରଙ୍କୁ ନାକେଦମ କରିଛି । ସାଧାରଣ ଜନତାଙ୍କ ଆଗେ ରାଜ୍ୟ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିଲେ । ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ନେତାମାନେ ମଇଦାନକୁ ଓହ୍ଲାଇଥିଲେ । ଆଉ ଏବେ ଅସଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ମଇଦାନକୁ ଓହ୍ଲାଇବେ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା କାଲି ଶଙ୍ଖଭବନରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ନବୀନଙ୍କ ପିଏସ କମିଟିର ପ୍ରଥମ ବୈଠକରେ ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଲୋଚନା ହୋଇଥିବା ବେଳେ ଏହି ବୈଠକରେ ସରକାର ବିରୋଧି ରଣନୀତି ପ୍ରସ୍ତୁତ ହେବ ବୋଲି ଚର୍ଚ୍ଚା ହେଉଛି । 11 ମାସର ସରକାରଙ୍କ ବିଫଳତା ଓ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନାହିଁ ସେ ନେଇ ପ୍ରଶ୍ନ ପଚାରିବେ ବିରୋଧି । ତେବେ ଆସନ୍ତା କାଲି ନବୀନଙ୍କ ନେତୃତ୍ୱରେ ବସିବାକୁ ଥିବା ଏହି ବଡ ବୈଠକରେ ନବୀନ କେଉଁ ବିସ୍ପୋରଣ କରୁଛନ୍ତି ଏବଂ ନବୀନଙ୍କ ନିଷ୍ପତ୍ତି ମୋହନଙ୍କୁ କି ଝଟକା ଦେଉଛି ତାହା ଦେଖିବାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ ରିଓ ନିୟୁଜ