ଶାହଙ୍କୁ ସବୁ ଜଣେଇଲେ ମୋହନ…!

ଶାହଙ୍କୁ ସବୁ ଜଣେଇଲେ ମୋହନ…!

୧୦ ମାସ ହେବ ଘୁଞ୍ଚି ଘୁଞ୍ଚି ଯାଉଛି ବିଜେପିର ପଦ୍ମ । ନା ରାଜ୍ୟ ସଭାପତି ଚୟନ ହେଉଛି ନା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇପାରୁଛି । ଫଳରେ ଦଳରେ ଅସନ୍ତୋଷର ନିଆଁ ବ୍ୟାପିବାରେ ଲାଗିଛି । ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ବିଧାୟକ ଦଳରେ କେଁ ସୃଷ୍ଟି କରୁଛନ୍ତି । ଏବଂ ଦଳର କନ୍ଦଳକୁ ପଦାରେ ପକାଉଛନ୍ତି । କେତେବେଳେ ଗଣମାଧ୍ୟମରେ ଦଳ ବିରୋଧୀ ବୟାନ ଦେଉଛନ୍ତି ତ ଆଉ କେତେବେଳେ ଆଇନକୁ ହାତକୁ ନେଉଛନ୍ତି । ଏପରିକି ଅସଭ୍ୟ ଭାଷା ପ୍ରୟୋଗ କରିବା ସହ ଧମକ ବି ଦେଉଛନ୍ତି । କିନ୍ତୁ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏବଂ ଶେଷରେ ଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହା ସହ ଖୁବଶୀଘ୍ର ରାଜ୍ୟ ସଭାପତି ଏବଂ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରିବାକୁ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନ କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି ।

ତେବେ ଏଭଳି ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା, ଦିଲ୍ଲୀରେ ଅମିତ୍ ଶାହଙ୍କୁ ଭେଟିବା ଏବଂ ଜେପି ନଡ୍ଡା ଓଡିଶା ଗସ୍ତରେ ଆସିବାକୁ ନେଇ ସୃଷ୍ଟି ହୋଇଛି । ଏ ତିନିଟି ଘଟଣାକୁ ଯୋଡିଦେଲେ ସରକାର ଏବଂ ସଙ୍ଗଠନରେ ବଡ ପରିବର୍ତନ ହେବା ନେଇ ସମ୍ଭାବନା ବଢି ବଢି ଚାଲିଛି । ଅନ୍ୟପଟେ କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ ପାଖାପାଖି ବର୍ଷେ ହେବ ନିଗମ ଏବଂ ବୋର୍ଡ ପଦବୀ ଖାଲି ପଡିଛି । ଏହି ପଦପଦବୀ ପାଇଁ ଆଶାୟୀଙ୍କର ଲମ୍ବା ଲାଇନ ଲାଗଥିବା ବେଳେ ଲାଇନ ଲମ୍ବି ଯାଉଛି ସତ କିନ୍ତୁ ନିଷ୍କର୍ଶ ବାହାରିପାରୁନି । ଏଥିପାଇଁ ମଧ୍ୟ ନିଆଁ କୁହୁଳୁଛି । କିନ୍ତୁ ମୋହନଙ୍କ ହାତ ବନ୍ଧା ହୋଇଛି । ତେଣୁ ଦିଲ୍ଲୀ ନେତା ଓଡିଶା ଗସ୍ତରେ ଆସିଥିବା ବେଳେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ପଦପଦବୀ ସମ୍ପ୍ରସାରଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ନଡ୍ଡାଙ୍କ ଗସ୍ତରେ ମଧ୍ୟ ରାଜ୍ୟ ବିଜେପିର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ତାର ଗ୍ୟାରେଣ୍ଟି ମଧ୍ୟ କିଛି ନାହିଁ । କାରଣ ଏହା ପୂବରୁ ମଧ୍ୟ ମୋହନ ଦିଲ୍ଲୀ ଯାଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ଫଳ ଶୂନ । ତେବେ ଦେଖାଯାଉ ମୋହନଙ୍କ ଏହି ଗସ୍ତ ରାଜ୍ୟ ବିଜେପିରେ କେଉଁ ପରିବର୍ତନ ଆଣୁଛି ନା ପୁଣି ଥରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଝୁଲି ରହୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *