ମନା କରିଦେଲେ ଶାହ, ଶାହଙ୍କ ବଦଳରେ ଆସୁଛନ୍ତି ନଡ୍ଡା । ପୁଣି ଥରେ ଦିଲ୍ଲୀ ନେତାଙ୍କ ଚାଟଶାଳୀରେ ପଢିବେ ରାଜ୍ୟ ବିଜେପି ନେତା । ହଁ ଆଜ୍ଞା, ପୁଣି ଥରେ ଦିଲ୍ଲୀ ନେତାଙ୍କ ଚାଟଶାଳୀରେ ପଢିବାକୁ ଯାଉଛନ୍ତି ରାଜ୍ୟ ବିଜେପି ନେତା । ସରକାର ଚଳାଇବାର ଟେକନିକ ବଦଳରେ ଶିଖିବେ ଆଚରଣ ଉଚ୍ଚାରଣର ପାଠ । ରାଜ୍ୟରେ ବିଜେପି ସରକାର ଚଳାଇବାର ୧୦ ମାସ ପରେ ବି ନେତା ମନ୍ତ୍ରୀଙ୍କ ବ୍ୟବହାର ଏବଂ ଆଚରଣରେ ଆକାଶ ପାତଳ ଫରକ ନଜର ଆସୁଥିବା ଏବଂ ମନମାନୀ ବଢୁଥିବା ଦେଖିବାକୁ ମିଳୁଛି । ଫଳରେ ବିଜେପି ଉପରୁ ସାଧାରଣ ଲୋକଙ୍କ ଭରଷା ଦିନକୁ ଦିନ କ୍ଷୀଣ ହୋଇଚାଲିଛି । ଖୋଦ ମନ୍ତ୍ରୀ ଅସଭ୍ୟ ଭାଷା ପ୍ରୟୋଗ କରିବା. ବିଧାୟକ ହାତ ଉଠାଇବା, ପୋଲିସଙ୍କୁ ଧମକ ଦେବା ଏସବୁକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି । ଏବଂ ମୋହନ ସରକାର ରାଜ୍ୟରେ ସରକାର ଚଳାଇବାରେ ଏବେ ବି ଫେଲ୍ ମାରୁଥିବା ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ପୁଣି ଥରେ ଦିଲ୍ଲୀ ନେତା ରାଜ୍ୟ ବିଜେପି ନେତାଙ୍କୁ ଆଚରଣ ଉଚ୍ଚାରଣର ପାଠ ପଢାଇବା ସହିତ କିପରି ଲୋକଙ୍କ ସହିତ କନେକ୍ଟ ହୋଇ ରହିବେ ସେନେଇ ଗୁରୁମନ୍ତ୍ର ଦେବାକୁ ଆସୁଥିବା କୁହାଯାଉଛି । ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସୁଥିବା ସୂଚନାମିଳିଛି ।
ତେବେ ନଡ୍ଡାଙ୍କ ପୂବରୁ ଶାହ ଓଡିଶା ଗସ୍ତରେ ଆସିବାର କାଯ୍ୟକ୍ରମ ଥିଲା । କିନ୍ତୁ ପୂବପରି ଶାହ ଓଡିଶା ଗସ୍ତକୁ ବାତିଲ କରିଥିଲେ । ଏବଂ ଶେଷରେ ନଡ୍ଡା ଓଡିଶା ଗସ୍ତରେ ଆସୁଥିବା ଜଣାପଡିଛି । ଏପରିକି ନିଜେ ଜେପି ନଡ୍ଡା ରାଜ୍ୟସଭାରେ ଓଡିଶା ଆସୁଥିବା ସୂଚନା ଦେଇଥିଲେ । ତେବେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦ୍ବିତୀୟ ଥର ପାଇଁ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ ହେବାକୁ ଯାଉଛି। ଆସନ୍ତା ୧୨ ଓ ୧୩ତାରିଖରେ ପୁରୀ ମେରାଇନ୍ ଡ୍ରାଇଭ୍ ରୋଡ୍ରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ରାଜ୍ୟର ୨୦ଜଣ ଲୋକସଭା ସାଂସଦ, ୭୮ଜଣ ବିଜେପି ବିଧାୟକ, ୩ଜଣ ସ୍ବାଧୀନ ବିଧାୟକ, ଦଳର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ (ସଂଗଠନ) ଏବଂ ସମସ୍ତ ପଦାଧିକାରୀ ଯୋଗଦେବେ। ଏହି କାର୍ୟ୍ୟକ୍ରମକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଉଦ୍ଘାଟନ କରିବେ। ଏହାପରେ ଏଥିରେ ଦଳର ଜାତୀୟ ସ୍ତରର କେତେକ ସଂଗଠକ, କୋର୍ କମିଟି ସଦସ୍ୟ ଏବଂ କେନ୍ଦ୍ର ମନ୍ତ୍ରୀ ଯୋଗଦେଇ ସାଂସଦ ଓ ବିଧାୟକଙ୍କୁ ତାଲିମ ଦେବେ। ଏହାସହ ଏପ୍ରିଲ ପହିଲାରୁ ରାଜ୍ୟରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ହେବାକୁ ଥିବା ବେଳେ ଜେପି ନଡ୍ଡା ଏହାର ଉଦଘାଟନ କରିବା ନେଇ ସୂଚନା ମିଳିଛି ।