ଭାଇରାଲ ହେଉଛି ଜଣେ ଶିକ୍ଷକଙ୍କ ଦରଖାସ୍ତ ପେଜ୍ । ଶିକ୍ଷକତା ଛାଡି ଶେଷରେ ବିଲରେ ମାଟି ହାଣିବାକୁ ଗଲେ ଶିକ୍ଷକ । ହଁ ଆଜ୍ଞା, ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଏକଦମ୍ ସତ । ରାଜ୍ୟରେ ଶିକ୍ଷକମାନଙ୍କ ସ୍ଥିତି କିପରି ରହିଛି ତାହା ତ ରାଜଧାନୀରେ ଦେଖିବାକୁ ମିଳୁଛି । ଶିକ୍ଷକତା ପାଇଁ ଯେଉଁ ଡିଗ୍ରୀ ଦରକାର ସେ ଡିଗ୍ରୀ ଥାଇ ବି ଅନେକଙ୍କୁ ଏହି ଚାକିରୀ ମିଳୁନି । ଆଉ ଯିଏ ଚାକିରୀ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି । ଯାହାର ଏକ ନିଚ୍ଛକ ଉଦାହରଣ ସାମ୍ନାକୁ ଆସିବା ସହିତ ଏହି ଘଟଣାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କରାଯାଉଛି ।
ତେବେ ଘଟଣାଟି ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକ ବାନ୍ଧନବାହାଲ ଅଞ୍ଚଳର । ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ଶିକ୍ଷକତା କରନ୍ତି ପ୍ରଭୂଦତ୍ତ ସାହୁ । କିନ୍ତୁ ଏବେ ପରିସ୍ଥିତି ଏପରି ହୋଇଛି ଯେ, ପ୍ରଭୂଦତ୍ତ ଶିକ୍ଷକତା ଛାଡି ବିଲରେ କୋଦାଳ ଧରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଅଭିଯୋଗ ଅନୁସାରେ, ଗତ ୩ ମାସ ଧରି ପ୍ରଭୂଦତ୍ତ ନିଜ ପାରିଶ୍ରମିକରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ସରକାରଙ୍କୁ ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଜଣାଇବା ସତ୍ୱେ ପ୍ରଭୂଦତ୍ତଙ୍କୁ ଦରମା ମିଳିନାହିଁ । ଡି.ଜି ଗଭ୍ ମାଧ୍ୟମରେ ଡିଜିଟାଲ ସିଷ୍ଟମ ମାଧ୍ୟମରେ ପ୍ରଭୂଦତ୍ତ ଦରମା ପାଆନ୍ତି । କିନ୍ତୁ ପୁଇଁତଳା ବିଇଓଙ୍କ ଅବହେଳା ଯୋଗୁଁ ୩ ମାସ ହେଲା ଦରମା ମିଳିନାହିଁ । ଫଳରେ ୫ ଜଣ ପରିବାରକୁ ନେଇ ଚଳୁଥିବା ପ୍ରଭୂଦତ୍ତଙ୍କୁ ଚଳିବାରେ ବହୁତ କଷ୍ଟ ହେଉଛି । ଆଉ ଏହାର ପ୍ରତିବାଦରେ ଏକ ଅଭିନବ ଢଙ୍ଗରେ ପ୍ରତିବାଦର ରାସ୍ତା ଆପଣାଇଛନ୍ତି ପ୍ରଭୂଦତ୍ତ ସାହୁ ।
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଦରମା ମିଳିନଥିବା ସମ୍ପର୍କରେ ଜଣାଇବା ସହ ଏକ ଦରଖାସ୍ତ ମାଧ୍ୟମରେ ବିଲକୁ ମୂଲ ଲାଗିବାକୁ ଯିବା ପାଇଁ ଛୁଟି ମାଗିଛନ୍ତି । ଏପରିକି ପ୍ରଧାନଶିକ୍ଷକ ତାଙ୍କ ଛୁଟିିକୁ ମଞ୍ଜୁର କରିଥିବା ଦେଖିବାକୁ ମିଳିଛି । ଏବଂ ଛୁଟି ମଞ୍ଜୁର ହେବା ପରେ ଶିକ୍ଷକ ଜଣକ ବିଲରେ କାମ କରୁଥିବା ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଆଉ ଏହି ଘଟଣାକୁ ନେଇ ମୋହନ ସରକାରଙ୍କୁ ନିନ୍ଦା ମଧ୍ୟ କରାଯାଉଛି । ନିଜେ ଜଣେ ଶିକ୍ଷକ ହୋଇଥିବା ବେଳେ ଶିକ୍ଷକମାନଙ୍କ ଦୁଃଖ କିପରି ତାଙ୍କ କାନରେ ପଡୁନି ତାକୁ ନେଇ ଓଲଟା ସରକାରଙ୍କୁ ସମାଲୋଚନା କରାଯାଉଛି । ତେବେ ଏହି ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶିକ୍ଷା ବିଭାଗ ଚେତିବା ସହ ପ୍ରଭୂଦତ୍ତଙ୍କୁ ଦରମା ମିଳିଥିବା ସୂଚନା ମିଳିଛି ।