ନବୀନ ନିବାସରେ ଜମିଲା ନେତାଙ୍କ ଗହଳି
ଶେଷ ପର୍ଯ୍ୟାୟରେ ପହଞ୍ଚିଲା ନିର୍ବାଚନ
ପଣା ସକ୍ରାନ୍ତି ପୂର୍ବରୁ ନବୀନ ନେବେ ବଡ ନିଷ୍ପତ୍ତି
ବର୍ତ୍ତମାନ ଗଣମାଧ୍ୟମ ଚର୍ଚ୍ଚାର ଶିରୋନାମା ପାଲଟିଛି ବିଜୁ ଜନତା ଦଳ । ରାଜ୍ୟ ରାଜନୀତିରେ ବିଜେଡିର ଅସ୍ତିତ୍ୱକୁ ନେଇ ଉଠିଲାଣି ନାନା ପ୍ରଶ୍ନ । ଦଳୀୟ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ନିରବତା ରାଜ୍ୟ ରାଜନୀତିରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ସଂସଦରେ ୱାକଫ ବିଲକୁ ବିଜେଡିର ସମର୍ଥନ ପରେ ସରଗରମ ରାଜନୀତି । ନବୀନ ନିବାସରେ ନେତାଙ୍କ ଭିଡ ଜମୁଛି । ଦଳର ବରିଷ୍ଠ ନେତୃତ୍ୱ ମାନେ ନବୀନ ନିବାସରେ ପହଞ୍ଚୁଛନ୍ତି ଏବଂ ସୁପ୍ରିମୋଙ୍କୁ ଦଳୀୟ ସ୍ଥିତି ନେଇ ପ୍ରଶ୍ନ କରୁଛନ୍ତି ।
ଏସବୁ ଭିତରେ ମଧ୍ୟ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି ଏପ୍ରିଲ ମାସ ଶେଷ ହେବା ପୂର୍ବରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ ସମ୍ପୂର୍ଣ୍ଣ ହେବା ନେଇ ଗଣମାଧ୍ୟମ ଆଗରେ ସୂଚନା ଦେଇଥିଲେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡି ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗାମୀ ପଣା ସଂକ୍ରାନ୍ତି ଭିତରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ ଏବଂ ଏହାପରେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ସଭାପତି ଚୟନ ହେବେ ।
ନିର୍ବାଚନକୁ 10 ମାସ ବିତିସାରିଛି । ଶଙ୍ଖପତି ନିଜର ଘର ସଜାଡିବା ଅଭିଯାନ ଆରମ୍ଭ କରିଛନ୍ତି କିନ୍ତୁ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ନବୀନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ୱାକଫ ବିଲକୁ ବିଜେଡିର କିଛି ସାଂସଦ ସମର୍ଥନ କରିବା ପରେ ବିଜେଡିରେ ବିଦ୍ରୋହର ନିଆଁ ଜଳୁଛି । ଯାହାର ସମାଧାନ କରିବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ଜମୁଛି । ବରିଷ୍ଠ ବିଧାୟକ ଅରୁଣ ସାହୁ ମଧ୍ୟ ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି ଦଳର ସାଙ୍ଗଠନିକ ନିର୍ବାଚନ ନେଇ ସୁପ୍ରିମୋଙ୍କ ସହ ଆଲୋଚନା ହୋଇଥିବା କଥା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।