
ଆଜି ବିଧାନସଭାରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାର କେତେକ ଗାଁରେ ମୋବାଇଲ ସେବା ନାହିଁ । ତେବେ ଓଡ଼ିଶାର ୬୭୯୯ ଗାଁରେ ମୋବାଇଲ ସେବା, ଟେଲିକମ ସେବା ଓ ଇଣ୍ଟରନେଟ ସେବା ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ନବଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।ଏହାସହ ଉତ୍ତରରେ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ବିଭିନ୍ନ ନୀତି ସମ୍ବଳିତ ଓଡ଼ିଶା ମୋବାଇଲ ଟାୱାର୍ସ, Optical Fiber Cables and related Telecom Infrastructure Policy,୨୦୧୭ ଶୀର୍ଷକ ଏକ ସଂକଳ୍ପ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ।