ସରିଲା ନିର୍ବାଚନ ଶଙ୍ଖଭବନରେ ବଢିଲା ତାତି !

ସରିଲା ନିର୍ବାଚନ ଶଙ୍ଖଭବନରେ ବଢିଲା ତାତି !

ଅଣ୍ଟାଭିଡିଛନ୍ତି ବିଜେଡି ସୁପ୍ରିମୋ ଚାଲିଛି ନିର୍ବାଚନ । ନୂଆ ରୂପ ନୂଆ ଅନ୍ଦାଜରେ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି ବିଜୁ ଜନତା ଦଳ । ବିଜେଡିର ପ୍ରଥମ ପର୍ଯ୍ୟାୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଜିଲ୍ଲା ସ୍ତରୀୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ବିଧାୟକ ପ୍ରତାପ ଦେବଙ୍କ ନେତୃତ୍ୱରେ ପ୍ରଥମ ପର୍ଯ୍ୟାୟ ସାଙ୍ଗଠିନକ ନିର୍ବାଚନ ସୁରୁଖୁରେ ଶେଷ ହୋଇଛି । ଆଗକୁ ବ୍ଲକ ଓ ଜିଲ୍ଲା ସଭାପତି ଚୟନ ହେବେ । ଏନେଇ ପ୍ରକ୍ରିୟା ଜାରି ରହିଛି । 30 ଟି ଜିଲ୍ଲାରେ ୱାର୍ଡ,ପଞ୍ଚାୟତ,ବ୍ଲକ,ପୌର,ଜିଲ୍ଲା ଓ ରାଜ୍ୟ ପରିଷଦ ଗଠନ ପରେ ରାଜ୍ୟ ସ୍ତରୀୟ କମିଟି ଗଠନ ହେବ । ତୃଣମୂଳ ସ୍ତରରୁ ରାଜ୍ୟ ସ୍ତରର ସଙ୍ଗଠନକୁ ମଜଭୁତ କରିବା ପାଇଁ ବିଜେଡି ଶିବିରରେ ଚାଲିଛି ମାନସମନ୍ଥନ । ଜୋରସୋରରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି । ତିନିମାସ ମଧ୍ୟରେ ସାଙ୍ଗଠନିକ ନିର୍ବାଚନ ଶେଷ କରି ବିଜେଡି ସଙ୍ଗଠନକୁ ଅଧିରୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ସଭାପତି ନବୀନ ପଟ୍ଟନାୟକ ।

ସାଧାରଣ ନିର୍ବାଚନକୁ ଆଠମାସ ବିତିଯାଇଛି । ପରାଜୟର ସଦମାରୁ ବାହାରି ଘର ସଜାଡିବା ଆରମ୍ଭ କରିଛନ୍ତି ବିଜେଡିର ବରିଷ୍ଠ ନେତୃତ୍ୱ । 24 ବର୍ଷର ଗଡ ଧ୍ୱଂସ ହୋଇଗଲା । ମାଟି କାମୁଡି ପଡିଲେ ରଥୀ ମହାରଥୀ କିନ୍ତୁ ଦଳକୁ ସଜାଡିବା ଦିଗରେ ଏବେ ଅଣ୍ଟା ସଳଖି ଛିଡା ହୋଇଛନ୍ତି ବିଜେଡି ସୁପ୍ରିମୋ । ଯଦିଓ ପ୍ରତି ଦୁଇ ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥାଏ କିନ୍ତୁ ବିଜେଡିର ପାଞ୍ଚ ବର୍ଷ ହୋଇଯିବ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ଯେଉଁଥିପାଇଁ ପରାଜୟ ପରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ଅନେକ ନେତା ମୁହଁ ଫେରାଇ ପଦ୍ମ ଦଳରେ ସାମିଲ ହୋଇଛନ୍ତି । ଆଉ ହାରିବା ପରେ ମଧ୍ୟ ନବୀନଙ୍କୁ କିଛି ମାତ୍ରାରେ ସେପରି କିଛି ଦଶା ଭୋଗିବାକୁ ପଡିଥିଲା । କିନ୍ତୁ ଆଗାମୀ 2027ର ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ଠାରୁ ହିଁ ନିଜ ଗଡ ସଜାଡିବା ଆରମ୍ଭ କରିଦେଇଛି ବିଜେଡି । ତୃଣମୂଳ ସ୍ତରରେ କିଭଳି ଭାବେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ବିଜେଡି କର୍ମୀମାନେ ଉତ୍ସାହର ସହିତ ଓଡିଶାର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବେ ସେ ନେଇ ମନ୍ତ୍ରୀ ଦେଉଛନ୍ତି ନବୀନ । ତେବେ ଆଗାମୀ ଦିନରେ ବିଜେଡିର ନିଜର ଦଳକୁ ମଜଭୁତ କରି କେତେ ମାତ୍ରାରେ ଶାସକ ଦଳକୁ ଘେରିବାରେ ସଫଳ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *