ସିଗାରେଟ ଟାଣୁଥିଲେ ହୋଇଯାଆନ୍ତୁ ସାବଧାନ । କମିଯିବ ଆପଣଙ୍କ ଆୟୁଷ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ଆଜିକାଲିର ଯୁବପିଢିଙ୍କ ପାଇଁ ନିଶାଦ୍ରବ୍ୟ ସେବନ କରିବା ଏକପ୍ରକାର ଫ୍ୟାଶନ ପାଲଟିଛି । କ୍ଲବ ଯିବା ପାର୍ଟି କରିବା ତା ସାଙ୍ଗକୁ ନିଶାଦ୍ରବ୍ୟ ସେବନ କରିବା ଯୁବକମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି । ତେବେ ଆପଣମାନେ ଜାଣିଛନ୍ତି ଏହି ସିଗାରେଟ ଅତ୍ୟଧିକ ଟାଣିବା ଦ୍ୱାରା ଆପଣଙ୍କର କଣ କ୍ଷତି ହୋଇପାରେ । ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ରିପୋର୍ଟରେ…….
ବୟସ କମାଉଛି ସିଗାରେଟର ଅତ୍ୟଧିକ ସେବନ । ଦିନକୁ କେବଳ ଗୋଟିଏ ସିଗାରେଟ ଟାଣିବା ଫଳରେ ମଧ୍ୟ ଆପଣଙ୍କର ବୟସକୁ କମାଇ ଦେଉଛି । ସିଗାରେଟ ଟାଣିବା ଫଳରେ ଏହା କେବଳ ଆପଣଙ୍କର ଶରୀରର କୌଣସି ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ତାହା ନୁହେଁ ବରଂ ଆପଣଙ୍କର ହାରାହାରି ଆୟୁଷକୁ ମଧ୍ୟ କମ କରିଥାଏ । ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଦିନକୁ ଗୋଟିଏ ସିଗାରେଟ୍ ଟାଣିଥାନ୍ତି, ତାଙ୍କର ଆୟୁଷ ସିଗାରେଟ ଟାଣୁନଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ହାରାହାରି ଆୟୁଷ ୨୦ ମିନିଟ କମ୍ ହୋଇପାରେ । ଅତ୍ୟଧିକ ନିଶାଦ୍ରବ୍ୟ ସେବନ କରିବା ଏବଂ ଧୂମ୍ରପାନ କରିବା ଯେ ଶରୀର ଖରାପ କରେ ଓ ବୟସ କମାଏ ତାହା ନୁହେଁ ବରଂ ଏହି ଖରାପ ଅଭ୍ୟାସ ଆପଣଙ୍କର ସୁନ୍ଦର ମୁହୁର୍ତ୍ତ ମଧ୍ୟ ଖରାପ ହୋଇଯାଇଥାଏ । ଏପରି ସ୍ଥିତିରେ ଆପଣଙ୍କ ବୟସ ୫୦-୬୦ ହୋଇଥିବା ସମୟରେ ଆପଣଙ୍କୁ ୭୦ ବର୍ଷ ବୟସର ଲୋକଙ୍କ ବୀମାରୀ ହୋଇଥାଏ । ଧୂମ୍ରପାନ କରିବା ଫଳରେ ହାର୍ଟ ସହ ଜଡ଼ିତ ବେମାରୀ ଓ ଷ୍ଟ୍ରୋକ ପରି ଅନେକ ସ୍ବାସ୍ଥ୍ୟ ସ୍ଥିତିର କାରଣ ସାଜିଥାଏ । ସ୍ମୋକିଂ ଦ୍ବାରା ଫୁସଫୁସ, ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ତେବେ ଯଦି ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ସିଗାରେଟ ସେବନରୁ ବିରତ ରୁହନ୍ତୁ ।