କିଛି ଦିନ ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଭେଟେରାନ ନେତା ଅମର ଶତପଥୀ । ବିଜେଡିରୁ ସବୁ ସମ୍ପର୍କ ତୁଟାଇବା ପରେ ଏବେ ଅମରଙ୍କ ଗତି କୁଆଡେ , ତାଙ୍କ ରାଜନୈତିକ ଭବିଷ୍ୟତ କଣ ସେ ବିଜେପିକୁ ଯିବେ କି ଏଭଳି ଅନେକ ଚର୍ଚ୍ଚା ବିଗତ ଦିନମାନଙ୍କରେ ଚାଲିଥିଲା । ଗତ ସାଧାରଣ ନିର୍ବାଚନରେ ଅମରଙ୍କୁ ବିଜେଡି କୋଣଠେସା କରିବାରୁ ଏବଂ ତାଙ୍କ ଟିକେଟ କାଟିବାରୁ ଅମର କେଉଁଠି ନା କେଉଁଠି ଦଳ ଉପରେ ଖପ୍ପା ଥିବା କୁହାଯାଉଥିଲା । ଏପରିକି ନିର୍ବାଚନ ସମୟରେ ମଧ୍ୟ ଯାଜପୁର ବଡଚଣାରୁ ବିଜେଡି ପ୍ରାର୍ଥୀ ହୋଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ଅମରଙ୍କ କୌଣସି ସହଯୋଗ ମିଳିନଥିଲା । ଏବଂ ପରବର୍ତୀ ସମୟରେ ଯେତେବେଳେ ଦଳ ହାରିଲା ସେତେବେଳେ ଅନ୍ୟ ନେତାଙ୍କ ପରି ଅମର ମଧ୍ୟ ଦଳ ବିରୁଦ୍ଧରେ ମୁହଁ ଖୋଲିବା ସହ ପରୋକ୍ଷରେ ବିଜେପିକୁ ସପୋର୍ଟ କରୁଥିଲେ । ଏବେ ତ ସେ ସିଧା ସିଧା ସେ ବିଜେଡି ସହ ସବୁ ସମ୍ପର୍କ ତୁଟାଇ ଦେଇଥିବା ମତପ୍ରକାଶ କରିଥିଲେ । ଏପରିକି ବିଜେପି ନେତା ମଧ୍ୟ ଅମରଙ୍କୁ ଦଳକୁ ସ୍ୱାଗତ କରିବା କଥା ଉଠାଇଥିଲେ । ଯାହାକୁ ନେଇ ଅମର ଖୁବଶୀଘ୍ର ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଲା । କିନ୍ତୁ ଏବେ ଅମର ନିଜେ ଚିନ୍ତାରେ ପଡିଯାଇଥିବା କୁହାଯାଉଛି । କାରଣ ନିକଟରେ ବିଜେପିକୁ ଯାଇଥିବା ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ଥିତି ସଙ୍ଗୀନ ଥିବା କୁହାଯାଉଛି । ଦଳରେ ତାଙ୍କୁ କୋଣଠେସା କରାଯାଉଥିବା ଦେଖିବାକୁ ମିଳିବା ସହ ସେ ବିଜେପିରେ ଅବହେଳିତ ହେଉଥିବା କୁହାଯାଉଛି । ଦଳକୁ ମାତ୍ର କିଛି ଦିନ ଆସିବା ପରେ ମାଳ ମାଳ ନେତାଙ୍କ ଗହଳିରେ ସୁନନ୍ଦାଙ୍କ ଉପସ୍ଥିତି ଏତେଟା ଦୃଶ୍ୟମାନ ହେଉନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କିଛି ଦିନ ହେବ ଦଳକୁ ଆସିବା ପରେ ଯଦି ସ୍ଥିତି ଏପରି ତେବେ ଆଗକୁ ତାଙ୍କ ରାଜନୈତିକ ଭବିଷ୍ୟତ କଣ ସେନେଇ ଦ୍ୱନ୍ଦ୍ୱ ମଧ୍ୟ ଉପୁଜୁଛି । ଆଉ ଏଭଳି ସ୍ଥିତିରେ ଅମରଙ୍କ ନିଷ୍ପତ୍ତି କଣ ହେବ , ସେ ବିଜେପିକୁ ଯିବେ ନା ନାହିଁ ଏବଂ ବିଜେପିକୁ ଗଲେ ତାଙ୍କ ଉପସ୍ଥିତି କେତେ ଗୁରୁତ୍ୱପୂର୍ଣ୍ଣ ରହିବ ସେନେଇ ନାନା ତର୍ଜମା ଲାଗି ରହିଛି । ତେବେ ଦେଖାଯାଉ ଆଗକୁ ଅମରଙ୍କ ନିଷ୍ପତ୍ତି କଣ ହେଉଛି ଏବଂ ସେ ବିଜେପିକୁ ଯାଉଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

You can share this post!
author