ପୁଣିଥରେ ଦାଣ୍ଡରେ ପଡି ହାଟରେ ଗଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ପ୍ରଥମେ ବିଧାୟକ ଓ ସାଂସଦଙ୍କ ପରେ ଏବେ ପଡିଲା ମୁଖପାତ୍ରଙ୍କ ପାଳି । ହଁ ଆଜ୍ଞା ଶାସକ ଦଳକୁ ଆସିବା ପରେ ବିଜେପିର ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି । ଦୀର୍ଘ ବର୍ଷ ହୋଇଯିବ ଦଳ ପାଇଁ କାର୍ଯ୍ୟ କରିଆସୁଥିବା ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା ବିଜେପି ସରକାରକୁ ଚର୍ଚ୍ଚାକୁ ଟାଣିଛି ।
ଦୀର୍ଘ 24 ବର୍ଷ ପରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି । କିନ୍ତୁ ଦଳକୁ ପରିଚାଳନା କରିବାରେ ଫେଲ ମାରୁଛି ଦଳର ରାଜ୍ୟ ସ୍ତରୀୟ ନେତୃତ୍ୱଙ୍କ ଠାରୁ ଯେ କେନ୍ଦ୍ରସ୍ତରର ନେତ୍ୱତ୍ୱଙ୍କ ରଣନୀତି । ଉପରୁ ଦଳକୁ ଯେତେ ସଜାଡିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଭିତରୁ ଭିତରୁ ଭାରତୀୟ ଜନତା ପାର୍ଟି ଦୁର୍ବଳ ହେବାରେ ଲାଗିଛି । ଏକଥା ଆମେ କାହିଁକି କହୁଛୁ ଥରେ ଟିକେ ଏଇ ଟ୍ୱିଟଟି ଉପରେ ନଜର ପକାନ୍ତୁ । ଏହିଥିରେ ଲେଖା ଅଛି କି ମନରେ ତିଳେମାତ୍ର ଦୁଃଖ ନାହିଁ ଏଇଥି ପାଇଁ ଯେ ଲକ୍ଷ ସାଧିତ ହୋଇସାରିଛି । ବରଂ ଦୀର୍ଘ 15 ବର୍ଷ ଧରି ମୋ ସହିତ ପ୍ରତିକୂଳ ପରିସ୍ଥିତିରେ ସଂଗଠନକୁ ବଢାଇଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା, ଅଲୋଡା ହେଉଥିବା ଘଟଣା ମୋତେ ବ୍ୟଥିତ କରୁଛି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏଭଳି କିଛି ଲେଖି ପୋଷ୍ଟ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ବିଜେପି ବିରୋଧିରେ ଥିବା ସମୟରେ ଶାସକ ଦଳର ଦୋଷ ଦୁର୍ବଳତାକୁ ଟାର୍ଗେଟ କରି ସର୍ବଦା ଦଳ ପାଇଁ କାର୍ଯ୍ୟ କରିଆସୁଥିବା ଜଣେ ନେତା ଦିଲ୍ଲୀପ ମଲ୍ଲିକ । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦଳରେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯିବା ପ୍ରସଙ୍ଗ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପ୍ରଥମେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅସନ୍ତୋଷ ଏବଂ ବିଜେପିରୁ ଧୀରେ ଧୀରେ ସାଇଡଲାଇନ ହୋଇ ରହୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମଙ୍କ ପରେ ଏବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ମୁଖ୍ୟପାତ୍ର ଦିଲ୍ଲୀପ ମଲ୍ଲିକ । ବିଜେପିରେ ଏଭଳି କନ୍ଦଳ ସାମ୍ନାକୁ ଆସିବା ପରେ ଏବେ ମୋହନଙ୍କ ମୁଣ୍ଡରେ ଚଡକ ପଡିଲାଣି । ସରକାରକୁ ମାତ୍ର ଛଅମାସ ହୋଇଛି ସେପଟେ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ରାଜ୍ୟବାସୀ ଆଉ ଏପଟେ ଦଳର ଗୋଷ୍ଠୀ କନ୍ଦଳ ମୋହନଙ୍କୁ ଅଡୁଆରେ ପକାଇଛି । ତେବେ ଗୋଷ୍ଠୀ କନ୍ଦଳକୁ ଆୟତ୍ତ କରିବା ପାଇଁ ମୋହନ କେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।