ସ୍ୱପ୍ନରେ ମଦ ମୁକ୍ତ ଓଡିଶା ଗଢୁଛି କି ବିଜେପି ? କୁଆଡେ ଗଲା ବିଜେପିର ମଦ ମୁକ୍ତ ଓଡିଶା ନାରା ? ପୁଣି ଫେଲ ମାରିଲା ବିଜେପିର ନାରା । ମଦ ମୁକ୍ତ ଓଡିଶା ନାଁରେ ଠକିଦେଲା ବିଜେପି ସରକାର । ହଁ ଆଜ୍ଞା, ବିଜେପି ସରକାରକୁ ଆସିବା ପରେ ପରେ ରାଜ୍ୟରେ ମଦ ସମ୍ପୂର୍ଣ୍ଣ ବ୍ୟାନ ହେବା ନେଇ ବଡ ବୟାନ ଦେଇଥିଲେ ବିଜେପି ନେତା । କିନ୍ତୁ ମଦରୁ ରାଜ୍ୟକୁ ଅଧିକ ରାଜସ୍ୱ ମିଳୁଥିବାରୁ ମଦ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଓଡିଶା ରାଜସ୍ୱ ଖାଲି ହୋଇଯିବା ନେଇ ଆଶଙ୍କା କରାଗଲା । ଏବଂ ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ମଦ ବନ୍ଦ ହେବା ପରିବର୍ତେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲା ହେବନି ଏବଂ ବେଆଇନ କାରବାର ବନ୍ଦ ହେବା ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବୟାନ ଦେଇଥିଲେ । ଏପରିକି ବୟାନ ଦେବା ପରେ କିଛି କିଛି ସ୍ଥାନରେ ଅବକାରୀ ବିଭାଗ ଚଢାଉ କରି ବେଆଇନ ମଦ କାରଖାନା ଏବଂ ଭାଟି ଗୁଡିକୁ ନଷ୍ଟ ମଧ୍ୟ କରିଥିଲେ । କିନ୍ତୁ ଏବେ ସେଥିରୁ ମୁହଁ ଫେରାଇ ଓଲଟା ମଦ ଦର ବଢାଇ ଦେଇଛି ବିଜେପି ସରକାର ।
ବିୟର ଏବଂ ଆସ୍କା -୪୦ ର ଦାମ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିୟର ବୋତଲ ପିଛା ୧୦ ଟଙ୍କା ବଢିଥିବା ବେଳେ ଆସ୍କା-୪୦ର ଦାମ ୬୦ ଟଙ୍କାରୁ ୭୦ ଟଙ୍କା କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଅନ୍ୟାନ୍ୟ ବ୍ରାଣ୍ଡର ମଦ ଦର ମଧ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ କ୍ଷତିକୁ ଦେଖି ପ୍ରାଇସ ଫ୍ରିକ୍ସେସନ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି ହୋଇଥିବା ନେଇ ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ବିଜେପି ସରକାରକୁ ଆସିବାର ୬ ମାସ ପରେ କେବଳ ମଦରୁ ୫୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିବା ସୂଚନା ମିଳିଥିଲା । ବିଧାନସଭାରେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଏପରି ତଥ୍ୟ ରଖିଥିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ଏବେ ମଦର ଦର ବଢାଇ ରାଜ୍ୟର ରାଜସ୍ୱ ବିଭାଗକୁ ଆହୁରି ସୁଦୃଢ କରିବା ପାଇଁ ବିଜେପି ଏହି ପଦ କ୍ଷେପ ନେଇଛି । କିନ୍ତୁ ମଦ ପିଇବା କାରଣରୁ ଅନେକ ସଂସାର ଉଜୁଡିବା ସହ ଅନେକ ଲୋକ ଜୀବନ ହରାଉଛନ୍ତି । କିନ୍ତୁ ସରକାର ସାଧାରଣ ଲୋକଙ୍କ କଥା ଚିନ୍ତା ନକରି ଓଲଟା କିପରି ମଦରୁ ରାଜସ୍ୱ ଅଧିକା ଆସିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ତେବେ ଦେଖାଯାଉ ଏହି ମଦ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ବିରୋଧୀ ଙ୍କ ମହଲରେ କେଉଁ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ଏବଂ ରାଜ୍ୟ ରାଜନୀତିରେ କେଉଁ ହଲଚ ହେଉଛି ତାହା ଦେଖିବାକୁ ଅପେକ୍ଷା ।