ବଢୁଛି ବିଷ୍ଣୁପଦଙ୍କ ଅଡୁଆ,ବିପଦରେ ସଚିବ ପଦବୀ । ମେଫେୟାର ହୋଟେଲ ସାମ୍ନାରେ ଲାଞ୍ଚ କାରବାର ଅଛି ଏଥିରେ ଅଛି କି ବରିଷ୍ଠ ଆଇଏସଙ୍କ ଲିଙ୍କ ? ଏବେ କି ଆକ୍ସନ ନେବେ ମୋହନ ସରକାର । ହଁ ଆଜ୍ଞା ହରଡଘଣାରେ ବରିଷ୍ଠ ଆଇଏସ ଅଫିସର ବିଷ୍ଣୁପଦ ସେଠୀ । 10 ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାରେ ବିଷ୍ଣୁପଦ ସେଠୀଙ୍କ ତିନିଜଣ ଡ୍ରାଇଭରଙ୍କୁ ଜେରା କରାଯାଇଛି । ଜେରା ସମୟରେ ଡ୍ରାଇଭରଙ୍କୁ ବିଷ୍ଣୁପଦଙ୍କ ବିଷୟରେ ପଚରା ଉଚରା କରିଛି ସିବିଆଇ ।
ଅନୁସୂଚିତ ଜାତି ଓ ଜନଜାତି ଓ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏସ ଅଟନ୍ତି ବିଷ୍ଣପଦ ସେଠୀ । ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ ଓ ଦଶଲକ୍ଷ ଟଙ୍କା କାରବାର ମାମଲାରେ ତିନିଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜେରା ସମୟରେ ବିଷ୍ଣୁପଦଙ୍କ ଲିଙ୍କ ରହିଥିବା ଖବର ପାଇଥିଲା ସିବିଆଇ । ଏହାପରେ ବିଷ୍ଣୁପଦଙ୍କୁ ନୋଟିସ ଜାରି କରିଥିଲା ସିବିଆଇ ।
ଡିସେମ୍ୱର 11 ତାରିଖ ଦିନ 10ଟା ସମୟରେ ନୟାପଲ୍ଲୀ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରାଯାଇଥିଲା । ନୋଟିସ ପରେ ବିଷ୍ଣପଦ ନିଜେ ନଯାଇ ଓକିଲ ପଠାଇଥିଲେ । ଏହାପରେ ବିଷ୍ଣୁପଦଙ୍କ ତିନି ଜଣ ଡ୍ରାଇଭରଙ୍କୁ ସିବିଆଇ ଜେରା କରିବା ସହିତ ତାଙ୍କୁ ବିଷ୍ଣୁପଦଙ୍କ ବିଷୟରେ ନାନା ପ୍ରଶ୍ନ କରିଥିଲେ । ଯାହାପରେ ଧୀରେ ଧୀରେ ବିଷ୍ଣୁପଦଙ୍କ ଅଡୁଆ ବଢିବାରେ ଲାଗିଛି ।