ଯନ୍ତ୍ରଣାରେ ମୋହନ ବଢୁଛି ବିଜେପିର ଅଡୁଆ । ତାରିଖ ପରେ ତାରିଖ ଗଡୁଛି ହେଲେ ମିଳିପାରୁନି ଗ୍ରୀନ ସିଗନଲା । ରିମୋଟ କଣ୍ଟ୍ରୋଲ ସରକାରରେ ଅସମର୍ଥ ହୋଇପଡିଛନ୍ତି ମୁଖିଆ । ଏବେ ଯାଏଁ ରାଜ୍ୟ ସଭାପତି ଦ୍ୱନ୍ଦ ହୋଇପାରୁନି । ଜଣେ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗର ଦାୟିତ୍ୱ ରହିଛି । ଜଣେ ଜଣେ ମନ୍ତ୍ରୀ ଏକାଧିକ ବିଭାଗ ମୁଣ୍ଡାଇ ଏବେ ଭାରାକ୍ରାନ୍ତ ହେଲେଣି । ବଜେଟ ଅଧିବେଶନରେ ନବୀନ ପଟ୍ଟନାୟକ ରଖିଥିବା ବିବୃତି ବାସ୍ତବରେ ସତ ସାବ୍ୟସ୍ତ ହୋଇଛି । ସରକାର ଆସିଗଲା କିନ୍ତୁ ସରକାରକୁ ଗତିଶୀଳ କରିବା ପାଇଁ କଣ କଣ ଆବଶ୍ୟକ ତାହା ସ୍ଥିର ହୋଇପାରୁନାହିଁ ।
ବିଜେପିର ମନ୍ତ୍ରୀ ମାନଙ୍କ ମଧ୍ୟ ସମନ୍ୱୟ ରହୁନାହିଁ । ଯାହା ମୋହନଙ୍କୁ ଅଡୁଆରେ ପକାଇଛି । ସେପଟେ ଜାନୁୟାରୀ ଶେଷ ହୋଇ ଫେବୃୟାରୀ ଶେଷ ହେବାକୁ ବସିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଦ୍ୱନ୍ଦ ଏବଂ ବିଜେପିର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇପାରୁନାହିଁ । ସରକାର ଗଠନକୁ ଆଠମାସ ପୂର୍ଣ୍ଣ ହୋଇଥିଲେ ବି ଏପର୍ଯ୍ୟନ୍ତ ଦ୍ୱନ୍ଦ ଦୂର ହୋଇପାରୁନାହିଁ । ରାଜ୍ୟ ସଭାପତି ଚୟନରେ ଅହେତୁକ ବିଳମ୍ବ ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚନ ସାରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଫେବୃଆରୀ ସରିବାକୁ ବସିଲାଣି, କିଛି ଚୁଡ଼ାନ୍ତ ହୋଇପାରୁନାହିଁ। ନିଗମ ଅଧ୍ୟକ୍ଷ ପାଇଁ ବି ଅଙ୍କକଷା ଚାଲିଛି। ନିଜେ କୌଣସି ନିଷ୍ପତ୍ତି ନେବାରେ ମୋହନ ଅସମର୍ଥ ହୋଇଥିବା ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ଗ୍ରୀନ ସିଗନାଲକୁ ତାଙ୍କର ଅପେକ୍ଷା ରହୁଛି । ଯେଉଁଥିପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଅସନ୍ତୋଷ ସୃଷ୍ଟି ହେଉଛି । ଅନ୍ୟପଟେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଧମକ ଆସିବା ଖବର ମଧ୍ୟ ଏବେ ଭାରତୀୟ ଜନତା ପାର୍ଟିକୁ ଅଧିକ ଚର୍ଚ୍ଚାକୁ ଟାଣିଥିଲା ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହୋଇ ପ୍ରୟାଗ ରାଜରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଉତ୍ତର ପ୍ରଦେଶରୁ ଫେରିବା ପରେ ବିଜେପିରେ ବସିବାକୁ ଯାଉଛି ବଡ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧକ୍ଷତାରେ କୋର କମିଟି ବୈଠକ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ ରାଜ୍ୟ ସଭାପତି ଦ୍ୱନ୍ଦ ଦୂର ହେବା ନେଇ କୌଣସି ବଡ ନିଷ୍ପତ୍ତି ହୋଇପାରେ । ଖାଲି ସେତିକି ନୁହେଁ ବରଂ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ନେଇ ମୋହନ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ସେପଟେ ଦିଲ୍ଲୀରେ ବଡ ବିଜୟ ପରେ ବିଜେପିର ଶୀର୍ଷ ନେତୃତ୍ୱ ଓଡିଶା ଛାଡି ଦିଲ୍ଲୀ ଗଡକୁ ସମ୍ଭାଳିବାରେ ବ୍ୟସ୍ତ । ତେବେ କେବେ ଓଡିଶାରେ ବିଜେପିର ସ୍ଥିତି ସୁଧୁରୁଛି ଏବଂ ଅସନ୍ତୁଷ୍ଟ ମାନଙ୍କୁ ସନ୍ତୁଷ୍ଟ କରିବାରେ କେବେ ସଫଳ ହେଉଛନ୍ତି ମୋହନ ସରକାର ତାହା ଦେଖିବାକୁ ଅପେକ୍ଷା ।