ଧନୁଯାତ୍ରାରେ ବିଜେପି ନେତାଙ୍କ ନୂଆ ରୂପ । ପ୍ରଥମେ ଗଲେ ଧର୍ମେନ୍ଦ୍ର ପରେ ଚଢିଲେ ମୋହନ । ହଁ ଆଜ୍ଞା, ଥରେ ନଜର ପକାନ୍ତୁ ଏହି ଦୁଇଟି ଫଟୋ ଉପରେ । କିପରି ଧନୁଯାତ୍ରାର ମଜା ନେଉଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହାତୀ ଉପରେ ବସି ବରଗଡ ବୁଲୁଥିଲେ ଦୁଇ ବିଜେପି ନେତା । ତେବେ ଜାନୁଆରୀ ୫ ତାରିଖରୁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆରମ୍ଭ ହୋଇଥିଲା । ଧର୍ମେନ୍ଦ୍ର ପ୍ରଧାନ ୭୭ତମ ବରଗଡ ଧନୁ ଯାତ୍ରା ମହୋତ୍ସବରେ ଯୋଗ ଦେଇ ଧନୁଯାତ୍ରା େଓବସାଇଟ ଉନ୍ମୋଚନ କରିଥିଲେ । ଏହା ସହ ହାତୀ ଉପରେ ବସି ବରଗଡ ଧନୁ ଯାତ୍ରାର ମଜା ନେଇଥିଲେ । ଆଉ ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଧନୁଯାତ୍ରାର ମଜା ନେଉଥିବା ଦେଖିବାକୁ ମିଳିଛି । ଏପରିକି ଧର୍ମେନ୍ଦ୍ରଙ୍କୁ ଦେଖି ମୋହନ ମଧ୍ୟ ହାତୀ ଉପରେ ବସି ଯାତ୍ରାର ମଜା ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ ଚଳିତ ଥର ବିଜେପି ଏହି ଯାତ୍ରାର ଆୟୋଜନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ୧୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛିା ଏଥିପାଇଁ ଯାତ୍ରା କଳାକର ମଧ୍ୟ ବେଶ ଖୁସି ବ୍ୟକ୍ତ କରିଥିଲେ ।
କିନ୍ତୁ ଅନ୍ୟପଟେ ରାଜଧାନୀରେ ଦିନ ଦ୍ୱିପହରେ ଜଣେ ପୋଲିସ ମିତ୍ରଙ୍କୁ ଅତି ବିଭତ୍ସଭାବେ ହତ୍ୟା କରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି । ନା ତାଙ୍କ ପରିବାର ବର୍ଗଙ୍କ ସହ ଭେଟଘାଟ କରିଛନ୍ତି ନା କିଛି ସାନ୍ତ୍ୱନା ଦେଇଛନ୍ତି । ଓଲଟା ଏହାକୁ ନେଇ ବିରୋଧୀ କୁଆଡେ ରାଜନୀତି କରୁଥିବା ବିଜେପି ଅଭିଯୋଗ ଆଣୁଛି । ହେଲେ ହତ୍ୟାକାଣ୍ଡକୁ ଅନେକ ଦିନ ବିତିଯାଇଥିବା ବେଳେ ଏଯାଏଁଁ ସହଦେବଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଇନଥିବା କୁହାଯାଉଛି । କିନ୍ତୁ ଏସବୁ ପ୍ରତି ଧ୍ୟାନ ନଦେଇ ବିଜେପି ନେତାମାନେ ଖୁସି ମନାଉଛନ୍ତି । ଯାହାକୁ ବିଭିନ୍ନ ମହଲରେ ଗ୍ରହଣ କରାଯାଉନାହିଁ । ସେହିପରି ଦେଖିବାକୁ ଗଲେ ବିରୋଧୀ ବିଜେଡି ସହଦେବଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସହଦେବଙ୍କ ପିଲାଙ୍କ ପାଠପଢାର ଦାୟିତ୍ୱ ନେଇଛନ୍ତି । କିନ୍ତୁ ବିଜେପି ନେତାଙ୍କୁ ଏ ସବୁଠୁ ଉପରେ ପ୍ରବାସୀ ସମ୍ମିଳନୀ ଏବଂ ଧନୁଯାତ୍ରା ବୋଲି ସେମାନଙ୍କ ଆଚରଣର ସ୍ପଷ୍ଟ ପ୍ରମାଣିତ ହେଉଛି ।