ଗଜପତି ଜିଲ୍ଲା ମୋହନା ଥାନାଠାରୁ ମାତ୍ର ୧ କିମି ଦୂର କଲେଜ ଛକ ଜାତୀୟ ରାଜପଥ ୩୨୬ ପାର୍ଶ୍ଵ ଏକ ନିର୍ମାଣଧିନ କୋଠାରେ ଘଟିଛି ଏକ ଦୁଃଖଦ ଘଟଣା। ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର ବାରୁଡ଼ା ପଞ୍ଚାୟତ ଅଧିନ ବାଲିଆପଟା ଗ୍ରାମର ଅକ୍ଷୟ କୁମାର ନାୟକ ନାମକ ଯୁବକଙ୍କ ସହ ଅନ୍ୟ ଦୁଇ ସାଙ୍ଗ ମୋହନାରେ ଅବସ୍ଥିତ ଏକ ହୋଟେଲ ମାଲିକଙ୍କ କୋଠାରେ ପ୍ରାୟ ୭ ଦିନ ହେଲା ରଙ୍ଗ ଦେବା କାମରେ ନିୟୋଜିତ ଥିଲେ। ବୁଧବାର ସକାଳ ପ୍ରାୟ ୯ଟାବେଳେ ରଙ୍ଗ ଦେବା ସମୟରେ ଅକ୍ଷୟ ଦ୍ୱିତୀୟ ମହଲା ଛାତରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବେହୋସ୍ ଅବସ୍ଥାରେ ପଡ଼ିରହିଥିଲେ।ଅନ୍ୟ ଦୁଇ ଶ୍ରମିକ ଅକ୍ଷୟର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷଣା କରିଥିଲେ। ଖବର ପାଇ ଅକ୍ଷୟର ପରିବାର ଲୋକେ ମୋହନାରେ ପହଞ୍ଚିଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ସବୁ କିଛି ଅନୁଧ୍ୟାନ କରିବା ପରେ ମୃତକଙ୍କୁ MkCG ପୋଷ୍ଟ ମଟମ୍ କୁ ପଠାଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଘର ମାଲିକଙ୍କ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂପର୍କରେ TPSODL କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକ କହିଛନ୍ତି ଘର ନିର୍ମାଣ ନକରିବା ପାଇଁ ବାରମ୍ଵାର ବାରଣ କରାଯିବା ସହିତ ଲିଖିତ ନୋଟିସ୍ ମଧ୍ୟ ପ୍ରେରଣ କରାଯାଇଛି। ସେ କିନ୍ତୁ ଆମ କଥାକୁ ଅବମାନନା କରି ଗୃହ ନିର୍ମାଣ କରୁଥିବା କହିଛନ୍ତି।

You can share this post!
author