ଏପଟେ ପ୍ରଚଣ୍ଡ ଖରାକୁ ଗୁଳୁଗୁଳି, ସେପଟେ କାଳବୈଶାଖୀର ତାଣ୍ଡବ । ଦିନରେ ଗରମ ଗୁଳୁଗୁଳି ଅସହ୍ୟ କରୁଥିବା ବେଳେ ରାତିରେ କାଳବୈଶାଖୀ ପ୍ରଭାବରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଉ ଏସବୁ ଭିତରେ ଆହୁରି ସନ୍ତୁଳି ହେବାକୁ ଯାଉଛନ୍ତି ରାଜ୍ୟବାସୀ । କାହିଁକି ନା ଆସନ୍ତା ୧୯ ତାରିଖ ଯାଏଁ ଉଭୟ ତାପମାତ୍ରା ଏବଂ କାଳବୈଶାଖୀ ବର୍ଷାରେ ରାଜ୍ୟବାସୀ କଲବଲ ହେବାକୁ ଯାଉଥିବା ଆଶଙ୍କା କରାଯାଉଛି । ୧୯ ତାରିଖ ଯାଏଁ ପଶ୍ଚିମ ଓଡିଶା ଆହୁରି ଜଳିବା ନେଇ ଆକଳନ କରାଯାଉଥିବା ବେଳେ ବାକି ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିବ । କିଛି କିଛି ସ୍ଥାନରେ ଘଡଘଡି ବର୍ଷା ସହ ପବନର ଝଟକା ୪୦ରୁ ୫୦ କିମି ଛୁଇଁବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ଜିଲ୍ଲାରେ ଖରା ଆଉ ବର୍ଷାର ପ୍ରକୋପ କେତେ ରହିବ ଏହି ରିପୋର୍ଟରେ ।
ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ଆଜିଠାରୁ ଆହୁରି ବଢିବ କାଳବୈଶାଖୀ ବର୍ଷା। କିନ୍ତୁ ଏହା ସତ୍ତ୍ୱେ ଦିନରେ ଗୁଳୁଗୁଳି ହେଉଛି। ୧୯ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା। ଆର୍ଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ରେକର୍ଡ ହୋଇଛି ତାତି। ତେବେ କମ୍ ତାତି ଥାଇ ବି ଅଧିକ ଆର୍ଦ୍ରତା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହେଉଛି। ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ, ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍ ରହିପାରେ ବୋଲି । ଶୁକ୍ରବାର ଦିନ ସମୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।
ସେହିପରି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍କା ୪୦ରୁ ୫୦ କିମି ଯାଏ ଛୁଇଁପାରେ। ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୩୦ରୁ ୪୦ କିମି ବେଗରେ ପବନ ଝଟ୍କା ଦେଇପାରେ ବୋଲି ଆକଳନ କରାଯାଇଛି। ୧୭ ତାରିଖ ବା ଶନିବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତରେ ଗରମ ଓ ଗୁଳୁଗୁଳି ସ୍ଥିତି ରହିପାରେ। ସନ୍ଧ୍ୟାରେ ନୟାଗଡ଼, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ଝଟ୍କା ୩୦ କିମି ଯାଏ ଛୁଇଁପାରେ।
ଅନ୍ୟପଟେ ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ ଏପରି ଆକଳନ କରିଛି।