ବିଜେଡିରେ ବଡ ହଲଚଲ । ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଜିତୁଛନ୍ତି ବିଜେଡି ନେତା । ହଁ ଆଜ୍ଞା, ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏହା ଚତୁର୍ଥ ପର୍ଯ୍ୟାୟରେ ପହଁଞ୍ଚିଛି । ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସଭାପତି ନିଯୁକ୍ତ ହେଉଛନ୍ତି । ଆଉ ଏଥିପାଇଁ ନାମାଙ୍କନ ପତ୍ର ମଧ୍ୟ ଦାଖଲ ଚାଲିଛି । କିନ୍ତୁ ଏହି କ୍ରମରେ ୧୮ଟି ଜିଲ୍ଲାରେ ବିଜେଡି ସଭାପତିମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା ହୋଇଛି । କେବଳ ଜଣେ ଲେଖାଏଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିଥିବାରୁ ସେମାନଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରାଯାଇଛି ଏବଂ ବିଜେଡିର ନୂଆ ଜିଲ୍ଲା ସଭାପତି ଭାବେ ଘୋଷଣା ହୋଇଛି ।
ଏପରିକି ବିଜେଡିର ୧୮ ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ ପାଇଛି। ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ପର୍ୟ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ତେବେ ଏହି ନିବାଚନ ପରେ ନିର୍ବାଚନର ଆଉ ଏକ ପର୍ୟ୍ୟାୟ ଆରମ୍ଭ ହେବା ନେଇ ସୂଚନା ମିଳିଛି । । ରାଜ୍ୟ ପରିଷଦ ସଦସ୍ୟ ପାଇଁ ବିଧିବଦ୍ଧ କମିଟି ଓ ତା ପରେ ଏକଜିକ୍ୟୁଟିଭ କମିଟି ଗଠିତ ହେବ। ପରେ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ତେବେ ଦଳର ନବକେଳବର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବା ପରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ଏବେ ଏହା ଶେଷ ପର୍ଯ୍ୟାୟରେ ପହଁଞ୍ଚିଲାଣି । ଜିଲ୍ଲା ସଭାପତି ନିର୍ବାଚନ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏପ୍ରିଲ ୧୯ ତାରିଖରେ ରାଜ୍ୟ ସଭାପତି ନିବାଚନ ଅନୁଷ୍ଠିତ ହେବ । ଯଦି ସଭାପତି ପଦ ପାଇଁ କୌଣସି ନାମାଙ୍କନ ନ ଭରାଯାଏ , ନିର୍ବାଚନ ନହୁଏ ତେବେ ସେହି ଦିନହିଁ ସଭାପତିଙ୍କ ନାଁ ଘୋଷଣା ହେବା ନେଇ ବରିଷ୍ଠ ବିଜେଡି ନେତା ସୂଚନା ଦେଇଛନ୍ତି । ତେବେ ପୁଣି ଥରେ ନବୀନ ଦଳର ସଭାପତି ଦାୟିତ୍ୱ ତୁଲାଇବେ ନା ଅନ୍ୟ କାହାକୁ ଦାୟିତ୍ୱ ଦେବେ ସେନେଇ ସସପେନ ୍ସ ବଢିଛି ।