୨୦୨୫ରେ ଉଠିବ ପଡିବ ରାଜ୍ୟ ରାଜ୍ୟନୀତି । ନିର୍ବାଚନ ନଥାଇ ବି ସରଗରମ ରହିବ ଓଡିଶା । ହଁ ଆଜ୍ଞା, ଦୀର୍ଘ ୨୪ ବର୍ଷ ପରେ ଖାଲି ସରକାର ବଦଳିନି ରାଜ୍ୟ ରାଜନୀତିର ଚିତ୍ର ବି ବଦଳିଯାଇଛି । ନିର୍ବାଚନ ସରିବାର ୭ ମାସ ପରେ ବି ରାଜ୍ୟରେ ଜାରି ରହିଛି ଶାସକ-ବିରୋଧୀଙ୍କ ଘମାଘୋଟ ଲଢେଇ । କେତେବେଳେ ପୂଜା ମଣ୍ଡପ ତ ଆଉ କେତେବେଳେ ଧାନ ବିଲରେ ପଶି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଦୁଇ ଦଳର ମୁଖିଆ । ବିଜେଡି ପୁଣି ସରକାରକୁ ଆସିବା ପାଇଁ ଏବେ ଠୁ ହିଁ ରଣକ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ବିଜେପି ସରକାରରେ ଥାଇ ବି ଚୁପ ହୋଇ ବସିନି । ଆହୁରି ଲୋକପ୍ରିୟ ହେବା ନେଇ ଏବଂ ବିଜେଡିକୁ ଭାଙ୍ଗିବା ନେଇ ଏବେ ବି ପ୍ରୟାସ ଜାରି ରଖିଛି । ବିଜେଡି ନେତାଙ୍କୁ ନିଜ ଦଳରେ ମିଶାଇବା ସହ ବିଜେଡିର ବସା ଖାଲି ହେଉଥିବା ପ୍ରଚାର ପ୍ରସାର କରୁଛନ୍ତି । ଏବଂ ରାଜ୍ୟବାସୀଙ୍କ ପାଖରେ ବିଜେପି ସରକାରର ଭଲ ବାର୍ତା ପହଁଞ୍ଚାଇବା ନେଇ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଚଳିତ ବର୍ଷ ଏହା ବିଜେପି ପାଇଁ ଆହୁରି ଚ୍ୟାଲେଞ୍ଜ ହୋଇପାରେ ବୋଲି ସମ୍ଭାବନା ରହିଛି ।
କାରଣ ବିରୋଧୀ ବି ଏବେ କମ୍ ନୁହଁନ୍ତି । ପ୍ରଥମ ଥର ପାଇଁ ଶାସକ ଦଳକୁ ନାକରେ ପାଣି ପିଆଉଛନ୍ତି ବିରୋଧୀ । ପ୍ରତି ପ୍ରସଙ୍ଗରେ ମୁହଁ ଖୋଲିବା ସହ ଶାସକ ଦଳର ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତିା ଖାସ କରି ପ୍ରଥମ ଥର ବିରୋଧୀ ଆସନରେ ବସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଗ୍ରେସିଭ ମୋଡକୁ ଆସିଛନ୍ତି । ନିଜେ ମଇଦାନକୁ ଓହ୍ଲାଇ ତୃଣମୂଳ ସ୍ତରରେ ଲୋକଙ୍କୁ ଭେଟୁଛନ୍ତି । ଏବଂ ସେମାନଙ୍କ ହକ୍ ପାଇଁ ଲଢେଇ କରିବାକୁ ପ୍ରତିଶୃତି ଦେଉଛନ୍ତି । ଯାହାକୁ ସାଧାରଣରେ ଖୁବ ପସନ୍ଦ କରାଯାଉଛି । କାରଣ ବିଜେପି ଦେଇଥିବା ପ୍ରତିଶୃତି ସବୁ ପୂରଣ କରିବାରେ ଖାମ ଖିଆଲ କରୁଥିବା ବେଳେ ବିଜେଡି ସରକାରରେ ଯେଉଁ ସବୁ ସୁବିଧା ସୁଯୋଗ ପାଉଥିଲେ ସେସବୁକୁ ଝୁରି ହେଉଛନ୍ତି । ଏବଂ ନବୀନ ପଟ୍ଟନାୟକଙ୍କୁ ହରାଇ ଲକ୍ଷ୍ମୀଛଡା ହୋଇଯାଇଥିବା ସାଧାରଣ ଜନତାଙ୍କ ମୁହଁରୁ ବାହାରି ପଡୁଛି । ଯେଉଁଥିରୁ ବିଜେଡିର ଲୋକପ୍ରିୟତା ବଢୁଥିବା କୁହାଯାଉଛି । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ବିଜେଡିରୁ ନେତାମାନେ ବିଜେପିକୁ ଡେଇଁ ଚାଲିଛନ୍ତି । ତେଣୁ ଦଳୀୟ ନେତାଙ୍କୁ ନେଇ ବିଜେଡି କିପରି ଆଗକୁ ବଢିବ ତାହା ମଧ୍ୟ ବିଜେଡି ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ରହିଛି ।
ତେବେ ଦେଖାଯାଉ ୨୦୨୫ରେ କିଏ କାହା ଉପରେ ଭାରି ପଡୁଛି ଏବଂ ସାଧାରଣ ଜନତା କାହାର ସାଥ୍ ଦେଉଛନ୍ତି ।