ପୁଣିି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେଡିକୁ ବିଜୟ ଫେରିବା ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ୨୫ ବର୍ଷର ବ୍ୟବଧାନ ପରେ ବିଜୟ ପୁଣି ଥରେ ଘର ବାହୁଡୁଥିବା ଆଲୋଚନା ଚାଲିଛି । ୨୦୨୪ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ବିଜୟଙ୍କ ପାରମ୍ପରିକ ଆସନରୁ ଲଢିବା ଏବଂ ନିର୍ବାଚିତ ହେବା ପରେ ଏହି ଚର୍ଚ୍ଚା ବଢିବଢି ଚାଲିଛି । ତେବେ ବିଜୟ ଗତ ୧୦ ବର୍ଷ ହେବ ବିଜେପିରେ ସକ୍ରିୟ ରହିଥିଲେ । କିନ୍ତୁ ୨୦୨୪ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେପି ତାଙ୍କୁ ଦଳରୁ ବହିଷ୍କୃତ କରିଛି । ଆଉ ଏବେ ସେ ବିଜେଡିକୁ ରିଟର୍ଣ୍ଣ କରିବାର ଆଶଙ୍କା କରାଯାଉଛି । ତେବେ ଯଦି ଏପରି ହୁଏ ତେବେ ମୋହନ ସରକାରଙ୍କୁ ବଡ ଝଟକା ଲାଗିପାରେ ବୋଲି ସେଥିରେ ସନ୍ଦେହ ନାହିଁ । କାରଣ ରାଜ୍ୟ ରାଜନୀତିରେ ବିଜୟ ମହାପାତ୍ରଙ୍କ ଦବଦବା ଅଧିକ ରହିଛି ।
ବିଜୁ ବାବୁଙ୍କ ଅମଳରେ ବିଜୟ ମହାପାତ୍ର ଦଳରେ ଏବଂ ରାଜନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ବିଜୁ କ୍ୟାବିନେଟରେ ସୁପର ଚିଫ ମିନିଷ୍ଟର ଭାବେ ପରିଚିତ ଥିଲେ ବିଜୟ । ଗୋଟିଏ ଆସନରୁ ୪ ୪ ଥର ବିଧାୟକ ହୋଇଥିଲେ ବିଜୟ । କିନ୍ତୁ ବିଜୁ ବାବୁଙ୍କ ଦେହାନ୍ତ ପରେ ଏବଂ ନବୀନ ପଟ୍ଟନାୟକ ଦଳର ଦାୟିତ୍ୱ ନେବାପରେ ସବୁକିଛି ଓଲଟ ପାଲଟ ହୋଇଗଲା । ନବୀନ ବିଜୟଙ୍କୁ ଦଳରେ ସେତେଟା ପ୍ରାଧାନ୍ୟ ନଦେବା କାରଣରୁ ବିଜୟ ଦଳରୁ ବାହାରି ଯାଇଥିଲେ । ଏବଂ ପରବର୍ତୀ ସମୟରେ ସେ ବିଜେପିରେ ସାମିଲ ହୋଇଥିଲେ ।
୨୦୦୯ ନିର୍ବାଚନରେ ବିଜେପିର ବିଜୟଙ୍କ ଭୂମିକା ଏତେ ଗୁରୁତ୍ୱ ବହନ କରିନଥିବା ବେଳେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ବିଜୟ ପାଟକୁରା ଆସନରୁ ଲଢି ପରାଜିତ ହୋଇଥିଲେ । ଏବଂ ୨୦୧୬ରେ ସେ ବିଜେପିରୁ ଦୂରେଇ ଯାଇଥିଲେ । ୨୦୧୮ରେ ବିଜେପି ଛାଡିବା ପରେ ପୁଣି ୨୦୧୯ରେ ଦଳକୁ ଫେରିଥିଲେ । କିନ୍ତୁ ୨୦୨୪ରେ ନିଜ ପୁଅକୁ ବିଜେଡି ଟିକେଟରୁ ଛିଡା କରାଇଥିଲେ ବିଜୟ । ଏଥିପାଇଁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ବିଜେପି ଦଳରୁ ବିଜୟଙ୍କୁ ବହିଷ୍କୃତ କରିଥିଲା । ଆଉ ଏବେ ବିଜୟ ପୁଣି ଥରେ ବିଜେଡିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ବିଜୟ ମହାପାତ୍ର ବିଧିବଦ୍ଧ ଭାବେ କେବେ ବିଜେଡିକୁ ଫେରିବେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଜୁ ଲିଗାସିକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି।