ବଡ ବୈଠକ ଡାକିଲେଣି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଶାସକ ଦଳ ବିରୁଦ୍ଧରେ ନୂଆ ରଣନୀତି ପ୍ରସ୍ତ୍ୁତ କରିବା ସହ ପୁଣି ନେତାଙ୍କୁ ଦେବେ ଗୁରୁମନ୍ତ୍ର । ହଁ ଆଜ୍ଞା, ଆସନ୍ତା ୨୮ ତାରିଖରେ ବିଜେଡିର ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । କାହିଁକି ନା ଆଉ କିଛି ଦିନ ପରେ ପୁଣି କମ୍ପିବ ରାଜ୍ୟସଭା । ରାଜ୍ୟସଭାରେ ଓଡିଶାର ହକ୍ ପାଇଁ ଲଢେଇ କରିବେ ବିଜେଡିର ୭ ରାଜ୍ୟସଭା ସାଂସଦ । ଏଥିପାଇଁ ସଜେଇ ହେଲାଣି ବିଜୁ ଜନତା ଦଳ । ରାଜ୍ୟସଭାରେ ନେତାଙ୍କ ଆଭିମୁଖ୍ୟ କଣ ରହିବ, କେଉଁ ପ୍ରସଙ୍ଗ ଉପରେ ଫୋକସ ଦେବେ ସେନେଇ ବିଜେଡି ସଭାପତି ସାଂସଦଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି । ତେଣୁ ଆସନ୍ତା ୨୮ ତାରିଖରେ ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ ।
ତେବେ ଶାସକ ଦଳରେ ଥିବା ବେଳେ ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ରହିଥିଲେ । କିନ୍ତୁ ବିରୋଧୀ ଆସନରେ ବସିବା ପରେ ସେହି ଆସନ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୯ ରୁ ଏବେ ୭ କୁ ଖସିଆସିଛି ବିଜେଡିର ଆସନ ସଂଖ୍ୟା । ତେଣୁ ଏହି ୭ରୁ ଯେପରି ଆଉ ଗୋଟିଏ ବି ଆସନ କମ୍ ନହୁଏ ସେଥିପ୍ରତି ଧ୍ୟାନ ଦେଉଛନ୍ତି ବିଜେଡି ସଭାପତି । ଆଉ ଏହି ୭ ଜଣଙ୍କୁ ନେଇ ବିଜେଡି ଶାସକ ଦଳ ବିରୁଦ୍ଧରେ ନୂଆ ପ୍ଲାନ କରିବାକୁ ଯାଉଛନ୍ତି । ତେବେ ଗତ ବର୍ଷ ରାଜ୍ୟସଭା ଅଧିବେଶନରେ ବିଜେଡିର ୭ ରାଜ୍ୟସଭା ସାଂସଦ ଗୃହକୁ ହୁଲସ୍ତୁଲ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଅନ୍ୟ ଦଳର ଆସନ ସଂଖ୍ୟା ଅଧିକ ରହିବା ସତ୍ୱେ ମଧ୍ୟ ବିଜେଡିର ସ୍ୱର ଫିକା ପଡିନଥିଲା । ଆଉ ଏବେ ସେହି ସ୍ୱରକୁ ଆହୁରି ଶାଣିତ କରିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦଙ୍କ କାନରେ ପୁଣି ମନ୍ତ୍ର ଫୁଙ୍କିବା ନେଇ ସୂଚନା ମିଳିଛି । ତେବେ ଦେଖାଯାଉ ରାଜ୍ୟସଭା ଅଧିବେଶନରେ ବିଜେଡିର ଭୂମିକା କିପରି ରହୁଛି ଏବଂ ବିଜେଡି ସାଂସଦଙ୍କ ସ୍ୱରରେ ରାଜ୍ୟସଭା ହୁଲସ୍ତୁଲ ହେଉଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।