୬ ମାସ ହେବ ଦରମାରୁ ବଞ୍ଚିତ ଅସ୍ଥାୟୀ କର୍ମଚାରୀଙ୍କ ନ୍ୟାୟ ପାଇଁ ଧାରଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜଳସମ୍ପଦ ବିଭାଗରେ ବିଭିନ୍ନ କାର୍ୟ୍ୟରେ କାର୍ୟ୍ୟରତ ୩୧ ଜଣ ଅସ୍ଥାୟୀ କର୍ମଚାରୀ ଦୀର୍ଘ ୬ ମାସ ହେବ ଦରମାରୁ ବଞ୍ଚିତ ଅଛନ୍ତି । ଏ ସମ୍ପର୍କରେ ବିଭାଗର ଉପରିସ୍ଥ କର୍ମଚାରୀଙ୍କୁ ବାରମ୍ବାର ଦାବି ଜଣାଇବା ପରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତୁରନ୍ତ ଏ ସମସ୍ୟାର ସମାଧାନ ନିମନ୍ତେ ଶାଳପଡା ସ୍ଥିତ କାର୍ୟ୍ୟାଳୟକୁ ନିର୍ଦେଶ ଦେଇଥିଲେ । ୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ । ହେଲେ ଶାଳପଡା ସ୍ଥିତ କାର୍ୟ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦରମାରୁ ବଞ୍ଚିତ ଥିବା ୩୧ ଜଣ ଅସ୍ଥାୟୀ କର୍ମଚାରୀ ଏବେ ଅଭିଯୋଗ କରିଛନ୍ତି । ସ୍ୱଳ୍ପ ଦରମାରେ କର୍ମଚାରୀ ମାନେ ପିଲା ଛୁଆଙ୍କ ଭରଣ ପୋଷଣ କରୁଥିବା ବେଳେ ଏବେ ତାହା କଷ୍ଟସାଧ୍ୟ ହୋଇପଡିଛି । ଏହାସହ ପାରିବାରିକ ସମସ୍ୟାରେ ସମୁଖୀନ ହୋଉଛନ୍ତି । ଯାହାକୁ ନେଇ କର୍ମଚାରୀମାନେ ଆଜି ଦିନ ୧୦ ରୁ କାର୍ୟ୍ୟ ବନ୍ଦ କରି ଜଳସମ୍ପଦ ବିଭାଗ କାର୍ୟ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣା କୁ ଓଲ୍ହାଇଛନ୍ତି । ଅନ୍ୟପଟେ ଏହାକୁ ନେଇ ଆନନ୍ଦପୁର ଶାଳପଡା ସ୍ଥିତ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଲକ୍ଷ୍ମଣ ମାର୍ଣ୍ଡି କହିଛନ୍ତି, କର୍ମଚାରୀମାନଙ୍କ ଚୁକ୍ତିନାମା ଗତ ଅକ୍ଟୋବର ମାସରୁ ଶେଷ ହୋଇଯାଇଥିବା ସହ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ବର୍ତମାନ ସୁଦ୍ଧା କୌଣସି ଚୁକ୍ତିନାମା ଆସିନି । ଖୁବ ଶୀଘ୍ର ବିକେୟା ଦରମା ପ୍ରଦାନ କରାଯିବ ବୋଲି କହିଛନ୍ତି ।

You can share this post!
author