ଚାହିଁରହିଛନ୍ତି ସାଧାରଣ ଜନତା, ପୁଣି କେବେ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ? ଗତ ନଭେମ୍ବର ମାସରୁ ଭୂବନେଶ୍ୱର ସ୍ଥିତ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ଏପରିକି ନଭେମ୍ବର ମାସ ସରି ଡିସେମ୍ବର ମାସର ଦୁଇ ସପ୍ତାହ ବିତିଗଲାଣି । ହେଲେ ଏଯାଏଁ ଅଭିଯୋଗ ପ୍ରକୋଷ୍ଠ ଖୋଲାହୋଇପାରିଲାନି । ତେବେ ସରକାରକୁ ଆସିବା ପରେ ବିଜେପି ପକ୍ଷରୁ ଅଭିଯୋଗ ପ୍ରକୋଷ୍ଠରେ ପ୍ରତି ସୋମବାର ଅଭିଯୋଗ ଶୁଣାଣି କରାଯାଉଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ଶୁଣୁଥିଲେ । ଏବଂ ସେମାନଙ୍କୁ ସମାଧାନ ନିମନ୍ତେ ପ୍ରତିଶୃତି ଦେଉଥିଲେ । କିନ୍ତୁ ଗତ ୬ ସପ୍ତାହ ହେଲାଣି ଏହା ବନ୍ଦ ରହିଛି । କେତେବେଳେ ଅନ୍ୟ ରାଜ୍ୟକୁ ଗସ୍ତ ତ ଆଉ କେତେବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବା ଦର୍ଶାଇ ଏହି ଅଭିଯୋଗ ଶୁଣାଣି ବନ୍ଦ ରଖାଯାଉଛି । ଆଉ ଏବେ ବିଧାନସଭା ଶୀତ ଅଧିବେଶନ ଚାଲିଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । ତେଣୁ ପୁଣି କେବେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ ସେନେଇ ଚାହିଁ ରହିଛନ୍ତି ସାଧାରଣ ଜନତା । ଏପରିକି ଆଗକୁ ଏହା ଖୋଲାଯିବ ନା ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।
ତେବେ ପୂର୍ବ ସରକାରରେ ଅଭିଯୋଗ ପ୍ରକୋଷ୍ଠ ଏବଂ ଅଭିଯୋଗ ଶୁଣାଣି ଭଳି କିଛି ବ୍ୟବସ୍ଥା ଅଛି ବୋଲି ସାଧାରଣ ଜନତା ଜାଣିପାରୁନଥିଲେ । କିନ୍ତୁ ବିଜେପି ସରକାରକୁ ଆସିବା ପରେ ପରେ ଏହି ଅଭିଯୋଗ ଶୁଣାଣି ଉପରେ ବିଶେଷ ଧ୍ୟାନ ଦେଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଦୁଃଖ ଶୁଣୁଥିଲେ । ଏପରିକି ଅନ୍ୟ ବିଧାୟକ ଏକ ମନ୍ତ୍ରୀ ମାନେ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣିକୁ ଆଗକୁ ବଢାଉଥିଲେ । କିନ୍ତୁ ଏବେ ଏହି ଅଭିଯୋଗ ପ୍ରକୋଷ୍ଠରେ ପୂର୍ବ ପରି ତାଲା ପଡିଥିବା କୁହାଯାଉଛି । ନା କେହି ନେତାମନ୍ତ୍ରୀ ରହିଛନ୍ତି ନା କେହି ଅଧିକାରୀ ସେଠାରେ ଉପସ୍ଥିତ ରହୁଛନ୍ତି । ଏପରିକି ଅଭିଯୋଗ ଶୁଣାଣି ବନ୍ଦ ରହିବା ଖବର ମଧ୍ୟ ଅନେକଙ୍କ ପାଖରେ ପହଞ୍ଚିିପାରୁନି । ଫଳରେ ଅନେକ ଦୂର ଦୂରାନ୍ତରୁ ଆସି ମନ ଦୁଃଖରେ ଫେରିିବାର ଅନେକ ଦୃଶ୍ୟ ପୂବରୁ ଦେଖିବାକୁ ମିଳୁଛି । ଏବଂ ନୂଆ ସରକାରରେ ବି ସମାନ ସ୍ଥିତି ସେମାନଙ୍କୁ ଦେଖିବାକୁ ମିଳୁଥିବାରୁ ଏ ସରକାରରୁ ବି ସେମାନଙ୍କ ଆଶା ନିରାଶାରେ ପରିଣତ ହେଉଥିବା କୁହାଯାଉଛି । ତେବେ ଦେଖାଯାଉ କେବେ ପୁଣି ଥରେ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଛି ନା ଅନ୍ୟ କିଛି କାରଣ ଦର୍ଶାଇ ଏହାକୁ ବନ୍ଦ ରଖାଯାଉଛି ତାହା ଦେଖିବାକୁ ଅପେକ୍ଷା ।