ଦଳୀୟ ନେତାଙ୍କ ଭିତରେ କୁଆଡେ ଲୁଚି ଯାଉଛନ୍ତି ମୋହନ ? କାହିଁକି ସବୁ ବୈଠକରେ ପଛରେ ବସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? ଜାତୀୟ ସ୍ତରରେ ବିଜେପିର କୌଣସି କାର୍ୟ୍ୟକ୍ରମ ହେଉ ବା କୌଣସି ସମାରୋହ ସବୁବେଳେ ମୋହନ ମାଝୀ କାହିଁକି ପଛରେ ରହୁଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତେବେ ଥରେ ନଜର ପକାନ୍ତୁ ଏହି ଫଟୋ ଉପରେ । ଏହି ଫଟୋଟି ହେଉଛି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର । ଡିମେମ୍ବର ୫ ତାରିଖ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଶପଥ ସମାରୋହରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତୃତ୍ୱମାନେ ଉପସ୍ଥିତ ରହିଥିଲେ । ଏବଂ ଏଥିରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସାମିଲ ହେବା ନେଇ ମୁମ୍ବାଇ ଯାଇଥିଲେ । କିନ୍ତୁ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହି ଦୁଇ ଜଣ କୁଆଡେ ହଜିଯାଇଥିଲେ । ଏପରିକି ଗ୍ରୁପ ଫଟୋରେ ମଧ୍ୟ ଉଭୟଙ୍କୁ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁନି । ଅନ୍ୟ ନେତାଙ୍କ ପଛରେ ସତେ ଯେମିତି ଉଭୟ ଲୁଚି ଯାଇଛନ୍ତି ।
ଅନ୍ୟପଟେ ସବୁଠୁ ବଡ କଥା ହେଉଛି, ମୋହନଙ୍କ ଆଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରହିଛନ୍ତି । ଓଡିଶା ସମେତ ବିହାର ଏବଂ ଆନ୍ଧ୍ରରେ ବି ଏନଡିଏର ସରକାର ରହିଛି । ନାଇଡୁ ସରକାର ଏବଂ ନୀତୀଶଙ୍କ ସରକାର ବିଜେପି ସମର୍ଥିତ ସରକାର ହୋଇଥିବା ବେଳେ ଓଡିଶାରେ ସମ୍ପୂର୍ଣ୍ଣ ରୂପେ ବିଜେପିର ସରକାର ରହିଛି । କିନ୍ତୁ ଏହା ସତ୍ୱେ ଓଡିଶା ମୁଖ୍ୟମନ୍ତ୍ରୀ ଏମାନଙ୍କ ତୁଳନାରେ ଅଧିକ ଅଣଦେଖା କରାଯାଉଥିବା ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି ।
ତେବେ ପୂର୍ବରୁ ମଧ୍ୟ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନିଙ୍କ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପଛରେ ବସିବାକୁ ପଡିଥିଲା । ଆଗ ଦୁଇ ଧାଡିରେ ଅନ୍ୟ ରାଜ୍ୟର ନେତାମାନେ ବସିଥିବା ବେଳେ ତୃତୀୟ ଧାଡିରେ ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବସିଥଲେ । ଏପରିକି ତାଙ୍କ ମୁହଁ ମଧ୍ୟ ସ୍ପଷ୍ଟ ଦେଖାଯାଉନଥିଲା । ଯାହାକୁ ନେଇ ଅନେକ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ପୁଣି ଥରେ ସେହି ଦୃଶ୍ୟ ଦେଖିବାକୁ ମିଳିଛି । ଓଡିଶା ଛାଡି ଅନ୍ୟ ରାଜ୍ୟ ପାଇଁ ବାରମ୍ବାର ପ୍ରଚାର କରିବା ସତ୍ୱେ ତାଙ୍କୁ ପଛରେ ହିଁ ବସିବାକୁ ପଡୁଛି । ଯାହାକୁ ସାଧାରଣରେ ଗ୍ରହଣ କରାଯାଉନାହିଁ ।