ଗାଦିରୁ ହଟିବାର ସାତ ମାସ ପରେ ନୂଆ ରୂପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଶାସନ ଗାଦିରୁ ହଟିବା ପରେ ପ୍ରଥମ ଥର ପାଇଁ ରାଜରାସ୍ତାରେ ବଡ ଧରଣର ବିକ୍ଷୋଭ କରିଛି ବିଜୁ ଜନତା ଦଳ । ଯେଉଁଥିରେ ସାମିଲ ଅଛନ୍ତି ବିଜେଡିର ହେଭିୱେଟଙ୍କ ଠାରୁ ଖୋଦ ଶଙ୍ଖପତି । ସାତମାସ ପରେ ହଜାର ହଜାର କର୍ମୀ ଓ ନିଜର ସମର୍ଥକଙ୍କୁ ନେଇ ନିଜର ପାୱର ସୋ କରିଛନ୍ତି ନବୀନ । ଦରବୃଦ୍ଧି ପ୍ରସଙ୍ଗରେ ବିଜେଡି ରଣହୁଙ୍କାର ଦେଇଛି । କାହା ବେକରେ ପିଆଜମାଳ ତ କାହା ବେକରେ ଆଳୁ ମାଳ ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ବିଜେଡି ନେତା । ଗାନ୍ଧୀମାର୍ଗରୁ ଲୋକସେବା ଭବନ ପର୍ଯ୍ୟନ୍ତ ବିଜେଡି ନେତାଙ୍କ ଭାଷଣ ଓ ସ୍ଲୋଗାନରେ କମ୍ପୁଥିଲା । ଜଣେ ପରେ ଜଣେ ନେତା ନିଜର ବକ୍ତବ୍ୟ ରଖୁଥିଲେ ଏବଂ ସାତମାସର ସରକାରଙ୍କର ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ । ଦୀର୍ଘ ଅଢେଇ ଦଶନ୍ଦି ପରେ ବିଜେଡିର ଏଭଳି ରଣହୁଙ୍କାର ପ୍ରଦର୍ଶନ କେବେ ଦେଖିନଥିଲା ଓଡିଶା ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେଡିର ଜଣେ ପରେ ଜଣେ ନେତା ମଞ୍ଚ ଉପରେ ନିଜର ଭାଷଣ ରଖୁଥିଲେ କିନ୍ତୁ ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକଙ୍କ ବକ୍ତବ୍ୟ କେଉଁଠି ବି ଦେଖିବାକୁ ମିଳିଲାନି । ଯାହାକୁ ନେଇ ପୁଣି ବିଜେଡିରେ ସୃଷ୍ଟି ହେଲା କନ୍ଦଳ । କହିଲେନି ନା ବବିଙ୍କୁ ସୁଯୋଗ ମିଳିଲାନି ? ମଞ୍ଚକୁ ଆସିଲେ କିନ୍ତୁ କାହିଁକି ମାଇକ ଧରିଲେନି ? ଆନ୍ଦୋଳନରେ ସାମିଲ ହେଲେ କିନ୍ତୁ ମୁହଁ କାହିଁକି ଖୋଲିଲେନି ? ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ମଞ୍ଚ ଉପରେ ରହିଛନ୍ତି ବବି କିନ୍ତୁ ମଞ୍ଚ ପରିଚାଳନା କରୁଛନ୍ତି ଦେବୀ ମିଶ୍ର ।
କିଛିଦିନ ହେଲା ରାଜ୍ୟସ୍ତରୀୟ କମିଟିରେ ବବିଙ୍କର ଆଉ ସେତେଟା ଦେଖା ମିଳୁନି ଅବଶ୍ୟ ନିଜ ଜିଲ୍ଲାରେ ବେଶ ସକ୍ରିୟ ରହିଛନ୍ତି ଏହି ହେଭିୱେଟ । ଅନ୍ୟପଟେ 26 ତାରିଖରେ ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସରେ ମଧ୍ୟ ସାମିଲ ହୋଇନଥିଲେ ପ୍ରଣବ ପ୍ରକାଶ ଦାସ । ତେବେ ବବିଙ୍କର ଏହି ସାଇଲେଣ୍ଟ ମୁଡପଛରେ କଣ ଉଦ୍ଧେଶ୍ୟ ରହିଛି । ଜାଣିଶୁଣି ବବିଙ୍କୁ ବିଜେଡିରୁ ସାଇଡଲାଇନ କରାଯାଉଛି ନା ପୁଣି କିଛି ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଶଙ୍ଖପତି ତାହାର ଅପେକ୍ଷା ।