ସରିଗଲା କି ବିଜେପିର ରାଜ୍ୟସଭା ଖେଳ ? ମମତା, ସୁଜିତଙ୍କ ପରେ ତୃତୀୟ ଶିକାର କରିପାରୁନି କି ବିଜେପି ? ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେଡିର ଘର ଖାଲି କରିବା ଟାର୍ଗେଟରେ ରହିଥିଲା ବିଜେପି । ଲୋକସଭାରେ ବିଜେଡି ଆସନ ଶୂନ ଥିବା ବେଳେ ରାଜ୍ୟସଭାରେ ୯ ଜଣ ସାଂସଦ ରହିଥିଲେ । ଯାହା ଉପରେ ବିଜେପିର ଆଖି ରହିଥିଲା । ଲୋକସଭା ପରି ରାଜ୍ୟସଭାରେ ବି ବିଜେଡିର ବସା ଖାଲି କରିବା ଉଦ୍ଦେଶ୍ୟରେ ଏକ ଅଭିଯାନ ଆରମ୍ଭ କରିଥିଲା ବିଜେପି । ଜଣଙ୍କ ପରେ ଜଣେ ନେତାଙ୍କୁ ଲୋଭ ଦେଖାଇ ନିଜ ଆଡକୁ ଟାଣି ଦଳରେ ସାମିଲ କରୁଥିଲେ । ପ୍ରଥମେ ମମତା ମହନ୍ତ ପରେ ସୁଜିତ୍ କୁମାର ବିଜେଡି ଛାଡି ବିଜେପି ଶିବିରକୁ ଆସିଲେ । ଏପରିକି ସେମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ବିଜେପିରେ ବି ସେମାନଙ୍କୁ ରାଜ୍ୟସଭା ପଦ ମିଳିଲା । ଯାହା ପରେ ତୃତୀୟ ଶିକାର କିଏ ହେବେ ସେନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଗଲା ।
ତେବେ ବିଜେପି ଆଦିବାସୀ ନେତୃତ୍ୱଙ୍କୁ ଟାର୍ଗେଟ କରୁଥିବାରୁ ମମତା, ସୁଜିତଙ୍କ ପରେ ସାଂସଦ ନିରଞ୍ଜନ ବିଶିଙ୍କ ପାଳି ପଡିପାରେ ବୋଲି ସମ୍ଭାବନା ବଢି ବଢି ଗଲା । କିନ୍ତୁ ସେଭଳି କିଛି ବି ହେଲାନି । ଯେଉଁଥିରୁ ବିଜେପି ତୃତୀୟ ଶିକାର କରିବାରେ ବିଫଳ ହୋଇଥିବା ଚର୍ଚ୍ଚା ଚାଲିଛି । କାହିଁକି ନା ୨୦୨୪ ସେପ୍ଟେମ୍ବର ୬ ତାରିଖରେ ସୁଜିତ୍ କୁମାର ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ଦେବାର ୫ ମାସ ବିତିଯାଇଥିବା ବେଳେ ଏଯାଏଁ ଆଉ କେହି ବିଜେଡି ସାଂସଦ ବିଜେପି ଲିଙ୍କରେ ଥିବା ନା ଖବର ସାମ୍ନାକୁ ଆସୁଛି ନା ସେଭଳି କିଛି ଚର୍ଚ୍ଚା ମୁଣ୍ଡ ଟେକୁଛି । ଯେଉଁଥିରୁ ବିଜେପିର ରାଜ୍ୟସଭା ଖେଳ ଶେଷ ହୋଇଥିବା ଆଶଙ୍କା କରାଯାଉଛି ।
ଅନ୍ୟପଟେ ବିଜେଡିର ୭ ରାଜ୍ୟସଭା ସାଂସଦ ଏକ ହୋଇ ରହିଥିବା ଅନେକ ଥର ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ ସହ ଦିଲ୍ଲୀରେ ବି ପ୍ରେସମିଟ ଜରିଆରେ ସେମାନଙ୍କ ଏକତାକୁ ନେଇ ବୟାନ ଦେଇଛନ୍ତି । ତେଣୁ ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ଆଉ କମିନପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ କ୍ଷମତା ପାଇଁ ରାଜନୀତିରେ କେହି କାହାରି ନୁହେଁ ଏ କଥା କୁ ଏଡାଇ ଦିଆଯାଇନପାରେ । ତେବେ ଦେଖାଯାଉ ବିଜେପିର ରାଜ୍ୟସଭା ଖେଳ ସରିଯାଇଛି ନା ଆହୁରି ବାକି ରହିଛି ଏବଂ କିଏ ବିଜେପିର ତୃତୀୟ ଶିକାର ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।