ଏତେ ଭିଡ ଭିତରେ ନବୀନଙ୍କ ପଦେ କଥା । ନବୀନଙ୍କ କଥା ଶୁଣି ତାଳିରେ କମ୍ପିଲା ପୁରା ଶଙ୍ଖ ଭବନ । ଶଙ୍ଖଭବନରେ ନବୀନଙ୍କୁ ଦେଖିବାକୁ ଜମିଛି ପ୍ରବଳ ଭିଡ । ତେବେ ଏ ଭିଡ ନବୀନଙ୍କ ପୁଣି ଥରେ ସଭାପତି ହେବା ଉଦ୍ଦେଶ୍ୟରେ ଜମିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ନାମାଙ୍କନ ଭରିଥିବା କାରଣରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଯାହାକୁ ନେଇ ଦଳର ସମସ୍ତ ନେତା ଏବଂ କର୍ମୀ ବେଶ୍ ଖୁସି ଅଛନ୍ତି ।
ତେବେ ଶଙ୍ଖ ଭବନରେ ପ୍ରବେଶ ପରେ ନବୀନଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ନବୀନଙ୍କ ନାଁ ଘୋଷଣା କରିବା ପରେ ଜଣଙ୍କ ପରେ ଜଣେ କର୍ମୀ ଏବଂ ନେତା ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶଙ୍ଖ ନାଦ କରିବା ସହ ତାଳିରେ ପୁରା ଶଙ୍ଖ ଭବନ କମ୍ପିଥିଲା । ଆଉ ଏହା ସାଙ୍ଗକୁ ନବୀନଙ୍କ ଜୟ ଜଗନ୍ନାଥ ପଦକୁ ଶୁଣିବା ପରେ କର୍ମୀ ଏବଂ ନେତାଙ୍କ ଖୁସି କହିଲେ ନସରେ ।
ତେବେ ଗତ ନିର୍ବାଚନରେ ପରାଜୟ ଗ୍ରହଣ କରିବା ପରେ ନବୀନ ପୁଣି ଥରେ ଅଣ୍ଟା ଭିଡିଛନ୍ତି । ଦଳ ସଜାଡିବା ସହ ନୂଆ ଟିମ୍ ଗଠନ କରୁଛନ୍ତି । ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ହାରିବା ପରେ ଦଳର ଶୃଙ୍ଖଳା ଭିନ୍ନ ଦିଗକୁ ଯାଉଥିବାରୁ ପୁଣି ଥରେ ସଭାପତି ହେବା ପରେ ନବୀନ ଦଳକୁ ଆହୁରି ଶୃଙ୍ଖଳିତ କରିବେ ବୋଲି ଅନୁମାନ କରାଯାଉଛି । ଏହା ସହ ହାରିବା ପରଠାରୁ ନବୀନ ଯେପରି ଆକ୍ରମଣାନ୍ତକ ହୋଇ ଉଠିଛନ୍ତି, ଦଳ ପାଇଁ ଏବଂ ଦଳୀୟ ନେତାଙ୍କ ପାଇଁ ଯେଉଁ ଭଳି ଷ୍ଟାଣ୍ଡ ନେଉଛନ୍ତି ସେଥିରୁ ଆଗକୁ ବି ନବୀନଙ୍କ ଏହି ଆକ୍ରମଣାନ୍ତକ ରୂପ ବିଜେପି ଦେଖିବ ଏବଂ ଓଡିଶାର ହକ୍ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ । ଏହା ସହ ଦଳ ମିଛ ପ୍ରଚାର ପ୍ରସାର ପାଇଁ ହାରିଥିବା କହିବା ସହ ଗାଁ ଗାଁ ବୁଲି ବିଜେପିର ମିଛ ଉପରକୁ ପରଦା ହଟାଇବା ନେଇ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।