ଖରାଦିନେ ପେଟକୁ ଥଣ୍ଡା ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ପାନୀୟ ଦ୍ରବ୍ୟ ସେବନ କରିଥାଉ । ଆଖୁରସ, ଲେମ୍ବୁ ପାଣି ଆଦି ସେବନ କରିଥାଉ । କିନ୍ତୁ ଏଗୁଡିକ ତୁଳନାରେ ଏମିତି ଏକ ପାନୀୟ ଦ୍ରବ୍ୟ ରହିଛି ଯାହା ଆମ ଶରୀର ପାଇଁ ଗ୍ରୀଷ୍ମ ଋତୁରେ ମହୌଷଧୀଭାବେ କାମ କରିଥାଏ । ଏହା ପେଟକୁ ଖରାଦିନେ ଥଣ୍ଡା ରଖିବା ସହ ଶରୀରକୁ ହାଇଡ୍ରେଟ ବି ରଖିଥାଏ । ତେବେ ସେହି ପାନୀୟ ଦ୍ରବ୍ୟଟି ହେଉଛି ବେଲ ପଣା ।
ବେଲ ହେଉଛି ଏକ ଋତୁକାଳୀନ ଫଳ । ବେଲ ପଣା ପିଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏ । ବେଲରେ ଟାନିନ୍, କ୍ୟାଲସିୟମ, ଫସଫରସ, , ଫାଇବର, ପ୍ରୋଟିନ ଏବଂ ଆଇରନ୍ ଭଳି ପୋଷକ ତତ୍ୱ ଭରିରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଏହା ସହ ଏଥିରେ ଆଣ୍ଟି ଫଙ୍ଗଲ ଗୁଣ ରହିଛି ଯାହା ପାଚନ ପାଇଁ ମଧ୍ୟ ସହାୟକ ହୋଇଥାଏ ।
ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ବେଲ ପଣାକୁ ସର୍ବୋତ୍ତମ ବିବେଚନା କରାଯାଏ । ବେଲ ପଣା ଗ୍ରୀଷ୍ମ ଋତୁରେ ଶରୀରକୁ ଗରମ ପ୍ରଭାବରୁ ରକ୍ଷା କରେ ବେଲ ପଣା ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ରହିନଥାଏ । ଏହା ଡିହାଇଡ୍ରେସନ, ହିଟଷ୍ଟ୍ରୋକ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । ସେହିପରି ବେଲ ପଣା ପିଇବା ଦ୍ୱାରା ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ବଦହଜମୀ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ସହ ଡାଇବେଟିସ ରୋଗୀଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହୋଇଥାଏ ।