ଏପଟେ ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ସେଲିବ୍ରେସନ ପାଇଁ ଭବ୍ୟ ଆୟୋଜନ କରୁଛନ୍ତି ମୋହନ । ସେପଟେ ନିଜର ଛାୟା କ୍ୟାବିନେଟକୁ ନେଇ ଚିନ୍ତାରେ ନବୀନ । ଏପରିକି ବିଜେଡିର ଛାୟା କ୍ୟାବିନେଟ କୁଆଡେ ଗଲା, ସେନେଇ ସାଧାରଣରେ ପ୍ରଶ୍ନ ବି ଉଠିଲାଣି । ଚାହୁଁ ଚାହୁଁ ରାଜ୍ୟରେ ବିଜେପି ସରକାର ଚଳେଇବାର ଏକ ବର୍ଷ ପୂରଣ ହେଉଥିବା ବେଳେ ଏଥିପାଇଁ ବିଜେପି ଶିବିର ଏକଂ ବିଜେପି ନେତାମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । କିନ୍ତୁ ବିଜେପିର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ନବୀନ ଯେଉଁ ଛାୟା କ୍ୟାବିନେଟ ଗଠନ କରିଥିଲେ ତାହା କୋମାକୁ ଚାଲିଯାଇଥିବା ଚର୍ଚ୍ଚା ହେଉଛି ।
ବିଧାନସଭାର ଦୁଇ ଦୁଇଟି ଅଧିବେଶନ ସମାପ୍ତ ହୋଇଥିଲେ ମଧ୍ୟ ଛାୟା କ୍ୟାବିନେଟ ସରକାରଙ୍କର କୌଣସି ଦୋଷ ଦୁବଳତାକୁ ସାମ୍ନାକୁ ଆଣିପାରିଲା ନାହିଁ । ୨୪ ବର୍ଷଧରି ଶାସନ କରିବାର ଅଭିଜ୍ଞତା ଧରି ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ୫୦ ବିଧାୟକଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ନୂଆ ସରକାର ବର୍ଷ ପୂର୍ତି ପାଇଁ ସଜବାଜ ହେଉଥିବା ବେଳେ ବିଜେଡିର ଛାୟା କ୍ୟାବିନେଟ କିନ୍ତୁ ହାତ ବାନ୍ଧି ବସିଛି । ଏପଟେ ମୋହନ ସରକାର ନିଜ ସଫଳତାର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ବାଣ୍ଟିବା ନେଇ ପ୍ଲାନିଂ କରୁଥିବା ବେଳେ ବିଜେଡି ସରକାରଙ୍କର ବିଫଳତାର ଗୋଟିଏ ବି ରିପୋର୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳୁନି । ଯେଉଁଥିରୁ ବିଜେଡିର ଛାୟା କାବିନେଟ୍ ଫେଲ୍ ମାରିଥିବା ଚର୍ଚ୍ଚା ହେଉଛି ।
ତେବେ ବିଧାନସଭା ଭିତରେ ଏବଂ ବାହାରେ ଏହି ଛାୟା କ୍ୟାବିନେଟ ଫେଲ୍ ମାରିଥିବା ବେଳେ ଦେଖାଯାଉ ଏକ ବର୍ଷ ପୂର୍ତ୍ତିରେ ବିଜେଡିର ରଣନୀତି କଣ ରହୁଛି ଏବଂ କିପରି ସରକାରଙ୍କୁ କାଉଣ୍ଟର କରୁଛି ଦଳ ତା ଉପରେ ରହିିଛି ସମସ୍ତଙ୍କ ନଜର ।